ଆଇସିୟୁରୁ ବାହାରିଲେ ସୈଫ୍‌ ଅଲ୍ଲୀ ଖାନ୍‌, ସେ ଏବେ ସମ୍ପୂର୍ଣ୍ଣ ବିପଦମୁକ୍ତ ପାରାଲିସିସର ଭୟ ନାହିଁ

ମୁମ୍ବାଇ : ନିଜ ବାସଭବନରେ ଦୁର୍ବୃତ୍ତର ଛୁରାମାଡ଼ର ଶିକାର ହୋଇଥିବା ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବେ ସଂପୂର୍ଣ୍ଣ ବିପଦମୁକ୍ତ। ଆଜି ସେ ଆଇସିୟୁରୁ ବାହାରକୁ ବାହାରିଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି। ଖାନ୍‌ଙ୍କୁ ୬ ଥର ଛୁରାମାଡ଼ ହୋଇଥିଲା। ୫ ଘଣ୍ଟାର ଅପରେସନ୍‌ ପରେ ତାଙ୍କ ମେରୁଦଣ୍ଡରୁ ୨.୫ ଇଞ୍ଚର ଏକ ବ୍ଲେଡ୍‌ ବାହାରିଛି ବୋଲି ଡାକ୍ତର କହିଛନ୍ତି। ତେବେ ବର୍ତ୍ତମାନ ସେ ବିପଦମୁକ୍ତ ଏବଂ ସେ ନିଜେ ଚାଲି ପାରୁଛନ୍ତି ବୋଲି ଲୀଳାବତୀ ହସ୍ପିଟାଲ୍‌ର ଡାକ୍ତର ନୀତିନ ନାରାୟଣ ଡାଙ୍ଗେ କହିଛନ୍ତି। ସୈଫ୍‌ଙ୍କୁ ଆଇସିୟୁରୁ ଏକ ସ୍ବତନ୍ତ୍ର ରୁମ୍‌କୁ ନିଆଯାଇଛି। ମେରୁଦଣ୍ଡରେ ଆଘାତ ଲାଗିଥିବାରୁ ସପ୍ତାହେ ପର୍ଯ୍ୟନ୍ତ ତାଙ୍କୁ ପୂର୍ଣ୍ଣ ବିଶ୍ରାମରେ ରହିବାକୁ କୁହାଯାଇଛି। ଡାକ୍ତର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପକ୍ଷାଘାତ ହେବାର କୌଣସି ଭୟ ନାହିଁ। ଲୀଳାବତୀ ହସ୍ପିଟାଲ୍‌ର ଚିଫ୍‌ ଅପରେଟିଂ ଅଫିସର ନିଜାର ଉତ୍ତମଣି କହିଛନ୍ତି, ଗଭୀର ଆଘାତ ପାଇଥିବା ସତ୍ତ୍ବେ ସୈଫ୍‌ଙ୍କର ବେଶୀ କ୍ଷତି ହୋଇନାହିଁ।ଅନ୍ୟପକ୍ଷେ ଆଜି ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୁଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି ବୋଲି ଖବର ପ୍ରସାରଣ ହେବାପରେ ପୁଲିସ ଏନେଇ ସ୍ପଷ୍ଟୀକରଣ ଦେଇଛି। ମୁମ୍ବାଇ ପୁଲିସ କହିଛି ଶୁକ୍ରବାର ସକାଳେ ବାନ୍ଦ୍ରା ଥାନାକୁ ଜେରା ପାଇଁ ଅଣାଯାଇଥିବା ସନ୍ଦିଗ୍ଧର ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରୀମାଡ଼ ମାମଲା ସହ କୌଣସି ସଂପର୍କ ନାହିଁ। ମାମଲାରେ ଏଯାବତ କେହି ଅଟକ ରହିନାହାନ୍ତି କି ଗିରଫ ହୋଇନାହାନ୍ତି ବୋଲି ପୁଲିସ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଗଣମାଧ୍ୟମରେ ଆକ୍ରମଣକାରୀ ଗିରଫ ହୋଇଥିବା ନେଇ ଖବର ପ୍ରଚାରିତ ହେବା ପରେ ପୁଲିସ ଏଭଳି ସ୍ପଷ୍ଟୀକରଣ ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)