ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗୋଳ ପଞ୍ଚାୟତର ନିମୁଡ଼ିହା ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। ଏହି ଘଟଣାରେ ବୈଶିଙ୍ଗା ପୁଲିସ ଅଭିଯୁକ୍ତ ଯୁବକ କୁଶୁ ମୁର୍ମୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନିମୁଡ଼ିହା ଗ୍ରାମର ଚନ୍ଦୁ ମୁର୍ମୁଙ୍କ ୩୫ ବର୍ଷୀୟ ପୁଅ କୁଶୁ ମୁର୍ମୁ ନିୟମିତ ନିଶା ସେବନ କରୁଥିବା ଅଭିଯୋଗ ରହିଛି। ଗତ ୨୮ ତାରିଖ ସୋମବାର ମଧ୍ୟାହ୍ନ ସମୟରେ ସେ ନିଶାସକ୍ତ ଅବସ୍ଥାରେ ସେହି ଗାଁର ଜଣେ ବିବାହିତା ମହିଳାଙ୍କ ଘରକୁ ଯାଇଥିବା ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିବା କୁହାଯାଉଛି। କିଛି ସମୟ ପରେ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ମୁର୍ମୁ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବା ସହ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଜଗବନ୍ଧୁ ମୁର୍ମୁ ଘଟଣାକୁ ନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଛାନଭିନ୍ ପରେ ଅଭିଯୁକ୍ତ କୁଶୁ ମୁର୍ମୁଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି। ମାମଲାରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।













Leave a Reply