ଭଦ୍ରକ: ଭଦ୍ରକରେ ସାଂଘାତିକ ହେଉଛି ବନ୍ୟା ସ୍ଥିତି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ଓ ସାଳନ୍ଦୀ ନଦୀ। ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୮.୭୭ ମିଟରରେ ପ୍ରବାହିତ ହେଉଛି। ସେହିପରି ରାଜଘାଟଠାରେ ସାଳନ୍ଦୀ ନଦୀର ବିପଦ ସଙ୍କେତ ୧୭ ଫୁଟ୍ ଥିବାବେଳେ ଏବେ ଜଳସ୍ତର ୧୯.୫୦ ମିଟରରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ବୈତରଣୀର ବନ୍ୟାଜଳ ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ୮ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଧାମନଗର ବ୍ଲକର ୨୫ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡ଼ିଛି। ସେହିପରି ବୈତରଣୀ ଓ ସାଳନ୍ଦୀର ବନ୍ୟା ଯୋଗୁଁ ତିହିଡ଼ି ବ୍ଲକର ୮ଟି ପଞ୍ଚାୟତ ମଧ୍ୟ ଜଳମଗ୍ନ ହୋଇଛି।
ବନ୍ୟା ପାଣିରୁ ବାଦ୍ ପଡ଼ିନି ଭଦ୍ରକ ସହର। ଭଦ୍ରକ ପୌରାଞ୍ଚଳର ୧୫ଟି ୱାର୍ଡରେ ବନ୍ୟାପାଣି ପ୍ରବେଶ କରିଛି। ଅନ୍ୟପଟେ ନାଳିଆ ନଦୀର ଆଙ୍କପଦାଠାରେ ପ୍ରାୟ ୬୦ ଫୁଟ୍ର ଘାଇ ହେବା ଯୋଗୁଁ ଶହ ଶହ ହେକ୍ଟର ଚାଷଜମି ବନ୍ୟାପାଣିରେ ବୁଡ଼ିଯାଇଛି। ବନ୍ୟାଜଳ ଯୋଗୁଁ ଦୋବଲ-ଷଣ୍ଢପୁର ଓ ଧାମନଗର-ଫଳପୁର ସମେତ ବିଭିନ୍ନ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି। ସେପଟେ ଭଦ୍ରକ ବ୍ଲକର ବିଷ୍ଣୁପୁର, ଅର୍ଣ୍ଣପାଳ ଓ ହରିପୁର ପଞ୍ଚାୟତ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଥିବା ବେଳେ ୬ଟି ଗାଁର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପରିସ୍ଥିତିକୁ ଦେଖି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ବୈତରଣୀ ଓ ସାଳନ୍ଦୀର ବଢ଼ୁଥିବା ଜଳସ୍ତର ଯୋଗୁଁ ଭଦ୍ରକରେ ସ୍ଥିତି ଉପରେ ପ୍ରଶାସନର ନଜର ରହିଛି।













Leave a Reply