ଉତ୍ତର ଆଣ୍ଡାମାନ ମୁହାଁ ଘୂର୍ଣ୍ଣିବଳୟ, ଆଜି ପହଞ୍ଚିପାରେ; ବଙ୍ଗୋପସାଗର ଉପରେ ବଢ଼ୁଛି ନଜର

ଭୁବନେଶ୍ୱର: ପୁଣି ଥରେ ବଙ୍ଗୋପସାଗର ଉପରେ ବଢ଼ିପାରେ ପାଣିପାଗ ଗତିବିଧି। କେନ୍ଦ୍ରୀୟ ଥାଇଲ୍ୟାଣ୍ଡ ଓ ସଂଲଗ୍ନ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆଜି ଏହି ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଓ ମିଆଁମାରର ସଂଲଗ୍ନ ଇରାୱାଡି ଅଞ୍ଚଳରେ ପହଞ୍ଚିପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳରେ ବ୍ୟାପି ରହିଛି। ଏହାର ଗତିପଥ ଏବେ ପଶ୍ଚିମ ଦିଗକୁ ଥିବାରୁ ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ଏହାର ପରବର୍ତ୍ତୀ ଗତିବିଧି ଉପରେ ନଜର ରଖାଯାଉଛି।

ବିଶେଷ କରି ଘୂର୍ଣ୍ଣିବଳୟଟି ଆଗକୁ ବଙ୍ଗୋପସାଗର ଆଡ଼କୁ ଗତି କରୁଛି କି ନାହିଁ, ଏବଂ ପରବର୍ତ୍ତୀ ସମୟରେ ଏଥିରୁ କୌଣସି ନୂଆ ପାଣିପାଗ ପ୍ରଣାଳୀ ବିକଶିତ ହେଉଛି କି ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ ହେବ। ତେଣୁ ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ଏହାର ଗତିପଥ ଓ ତୀବ୍ରତାରେ କି ପରିବର୍ତ୍ତନ ଆସୁଛି, ତାହା ଉପରେ ପାଣିପାଗ ବିଶେଷଜ୍ଞଙ୍କ ନଜର ରହିବ। ତେବେ ବର୍ତ୍ତମାନର ସୂଚନା ଅନୁସାରେ, ଏହି ଘୂର୍ଣ୍ଣିବଳୟରୁ ଲଘୁଚାପ କିମ୍ବା ବାତ୍ୟା ସୃଷ୍ଟି ହେବ ବୋଲି କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ। ତେଣୁ ଏବେଠାରୁ ବାତ୍ୟା ନେଇ କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବନାହିଁ। ପାଣିପାଗ ବିଭାଗର ପରବର୍ତ୍ତୀ ଅପଡେଟ୍‌ରେ ଏହି ପ୍ରଣାଳୀର ଗତିପଥ, ତୀବ୍ରତା ଏବଂ ସମ୍ଭାବ୍ୟ ପ୍ରଭାବ ନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial