ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ, ଝାଡ଼ଖଣ୍ଡରୁ ଜଣେ ଗିରଫ

ମୟୂରଭଞ୍ଜ: ଦିନ ଦ୍ୱିପହରେ ଫାଙ୍କା ଗୁଳି ଚାଳନା କରି ବ୍ୟାଙ୍କ ମିତ୍ରଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି ଯଶିପୁର ପୋଲିସ । ଘଟଣାରେ ସମ୍ପୃକ୍ତ ଝାଡ଼ଖଣ୍ଡର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ତାଙ୍କଠାରୁ ନଗଦ ଟଙ୍କା, ମୋବାଇଲ୍‌ ଫୋନ୍‌, ରୂପା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ବେଳେ ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।

ଘଟଣାଟି ଗତ ସେପ୍ଟେମ୍ବର ୧୧ ତାରିଖରେ ଯଶିପୁର ଥାନା ଅଞ୍ଚଳର ମଣଦା ଛକରେ ଘଟିଥିଲା । ଯଶିପୁର-ରରୁଆଁ ରାସ୍ତାର ମଣଦାଠାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅନୁମୋଦିତ କମନ ସର୍ଭିସ ସେଣ୍ଟରର ବ୍ୟବସାୟ ସହାୟକ ତଥା ବ୍ୟାଙ୍କ ମିତ୍ର ପ୍ରଦୀପ ମହାନ୍ତ ନିଜ ସହାୟତା କେନ୍ଦ୍ରରେ ବସିଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସିଥିଲେ । ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ଭୟ ସୃଷ୍ଟି କରିବା ପରେ ପ୍ରଦୀପଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଖବର ପାଇ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଥିଲା । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲା । ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ ଏବଂ ରାଇରଙ୍ଗପୁର ପୋଲିସ ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ତଦନ୍ତ ଆଗକୁ ବଢ଼ିଥିଲା ।

ଯଶିପୁର ଓ କରଞ୍ଜିଆ ପୋଲିସର ମିଳିତ ତଦନ୍ତ ପରେ ଝାଡ଼ଖଣ୍ଡର ମଝିଗାଁ ଥାନା ଅଞ୍ଚଳର ମଝିଗାଁ ଗ୍ରାମର ଏମ୍‌ଡି ନସରୁଦ୍ଧିନଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ନଗଦ ୬୭ ହଜାର ୩୦୦ ଟଙ୍କା, ୮ଟି ମୋବାଇଲ୍‌ ଫୋନ୍‌, ୨୦୦ ଗ୍ରାମ ରୂପା ଅଳଙ୍କାର, ୨ଟି ଲୁହା ରଡ୍‌, ଗୋଟିଏ ହାମର୍‌ ଏବଂ ଘଟଣାରେ ବ୍ୟବହୃତ କଳା କପଡ଼ା ଜବତ କରାଯାଇଛି । କରଞ୍ଜିଆ ଏସ୍‌ଡିପିଓ ନବକୃଷ୍ଣ ନାୟକ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ଘଟଣା ସମ୍ପର୍କରେ ଯଶିପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ ଯଶିପୁର କୋର୍ଟରେ ହାଜର କରାଯାଇଛି । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍‌ ଘଟଣାର ଅନ୍ୟାନ୍ୟ ପାର୍ଶ୍ୱ ନେଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial