କଟକ ଏସସିବି ମେଡିକାଲ କଲେଜରେ ତିଆରି ହେବ ୧୭ ମହଲା ବିଶିଷ୍ଟ ପାର୍କିଂ ଅଟ୍ଟାଳିକା ।

ଅକ୍ଷର ବ୍ୟୁରୋ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସସିବି) ମେଡିକାଲ କଲେଜରେ ତିଆରି ହେବ ୧୭ ମହଲା ବିଶିଷ୍ଟ ପାର୍କିଂ ଅଟ୍ଟାଳିକା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସମୟରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଏସସିବି ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ହିସାବରେ ଏଠାକୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ଆସିଥାନ୍ତି। ଏହି ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ମେଡିକାଲ କଲେଜ ରୂପେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ବୈଠକରୁ ଜଣାଯାଇଛି ଯେ, ଏସସିବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲା (G+16) ବିଶିଷ୍ଟ ଏକ ମଲ୍‌ଟି ଲେଭଲ୍‌ ପାର୍କିଂ ସୁବିଧା ବିକଶିତ କରାଯିବ। ପାର୍କିଂ ସୁବିଧା ଉଭୟ ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ ବ୍ୟବହାର କରିପାରିବେ। ଏହି ବିଲ୍‌ଡିଂରେ ୧୨ ମହଲା ପର୍ଯ୍ୟନ୍ତ ପାର୍କିଂ ସୁବିଧା ଏବଂ ଅବଶିଷ୍ଟ ମହଲାଗୁଡିକରେ ପ୍ରଶାସନିକ ବ୍ଲକ, ଆନାଟୋମୀ ବ୍ଲକ, ବି. ଫାର୍ମା ଏବଂ ଡି. ଫାର୍ମା କଲେଜ୍ ଇତ୍ୟାଦି କାର୍ଯ୍ୟକ୍ଷମ ହେବ। ଏଥିସହିତ ମେଡିକାଲ ଛାତ୍ରମାନଙ୍କୁ ଚାପମୁକ୍ତ ରଖିବା ପାଇଁ ଇନଡୋର ଗେମ୍, ସୁଇମିଂ ପୁଲ୍ ସୁବିଧା ମଧ୍ୟ ଉପଲବ୍ଧ କରାଯିବ।

ସୂଚନାଯୋଗ୍ୟ, ଜାତୀୟ ଶିକ୍ଷାନୀତି ୨୦୨୦ରେ ପିଲାମାନଙ୍କୁ ଚାପମୁକ୍ତ ରଖିବା ପାଇଁ ବିଭିନ୍ନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏଥି ନିମନ୍ତେ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ସିବି ନିକଟରେ ୧୩ଟି ହାଉସିଂ ଟାୱାର କାମ ନିର୍ମାଣାଧୀନ ରହିଛି। ଯେଉଁଥିରେ ୬୭୨ଟି ଆବାସିକ ୟୁନିଟ୍ ଓ ୨,୨୪୪ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା କରାଯାଉଛି। ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରି ଏହାର ନିର୍ମାଣକାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ପୁନଃ ବିକାଶ କାର୍ଯ୍ୟ ଉପରେ ବୈଠକରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)