ଅକ୍ଷର ବ୍ୟୁରୋ: କୋରେଇ ଶିକ୍ଷା ବିଭାଗରେ ୫.୫୬ କୋଟିର ଠକେଇ । ଅଭିଯୁକ୍ତଙ୍କ ବାପା-ମା’ଙ୍କୁ ଗିରଫ କଲା ଭିଜିଲାନ୍ସ । ଭଦ୍ରକ ଚରମ୍ପାରୁ ଉଭୟଙ୍କୁ ଗିରଫ କଲା ଭିଜିଲାନ୍ସ । ବୁଧବାର ପୁଅ ମାତୃପ୍ରସାଦ ମହାନ୍ତି ଗିରଫ ହୋଇଥିଲେ । ଏବେ ବାପା-ମାଆଙ୍କୁ ଗିରଫ କରିଛି ଭିଜିଲାନ୍ସ । ଘରୋଇ ବ୍ୟାଙ୍କ୍ ଭଦ୍ରକ ଶାଖା ମୁଖ୍ୟ ଥିଲେ ମାତୃପ୍ରସାଦ ମହାନ୍ତି । ସୂଚନା ଥାଉକି, ଯାଜପୁର ଜିଲ୍ଲା କୋରେଇ ଶିକ୍ଷା ବିଭାଗରେ ହୋଇଥିଲା ବଡ଼ଧରଣର ଆର୍ଥିକ ଅନିୟମିତତା । ଆଉ ଏହି ଘଟଣାରେ ଭଦ୍ରକ ଜନା ସ୍ମଲ୍ ଫାଇନାନ୍ସର ଶାଖା ପ୍ରବନ୍ଧକ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ମାତୃପ୍ରସାଦ ଆର୍ଥିକ ଅନିୟମିତତାର ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତିଙ୍କ ପୁଅ ।
୨୦୧୮ରୁ ୨୦୨୪ ମଧ୍ୟରେ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ହ୍ୟାକ୍ କରି ୫ କୋଟି ୫୬ ଲକ୍ଷ ୧୧ ହଜାର ୪୯୫ ଟଙ୍କା ଅନ୍ଲାଇନ୍ରେ ଟ୍ରାନ୍ସଫର ହୋଇଥିଲା । ବାପା-ପୁଅ ଯୋଡ଼ି ଯୋଜନାବଦ୍ଧ ଭାବେ ଏହି ଟଙ୍କା ହଡ଼ପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ସହ ମିଶି ଅଭିଯୁକ୍ତ ମାତୃପ୍ରସାଦ ଏହି ଚଞ୍ଚକତା କରିଥିଲେ । ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ପ୍ରଦୀପ କୋରେଇ ବିଇଓ କାର୍ଯ୍ୟାଳୟରେ ପୁନଃ ନିଯୁକ୍ତ ହୋଇଥିଲେ । ଏହି ସମୟରେ ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡିର ଅପବ୍ୟବହାର କରି ସେମାନଙ୍କୁ କାର୍ଯ୍ୟରତ ବୋଲି ଭୁଲ୍ ରେକର୍ଡ ସୃଷ୍ଟି କରିଥିଲେ । ସେମାନଙ୍କ ନାମରେ ପ୍ରତିମାସ ପେନସନ ବିଲ୍ ପ୍ରସ୍ତୁତ କରି ଟଙ୍କା ଉଠାଯାଉଥିଲା । ଏହି ଟଙ୍କାକୁ ପୁଅ ମାତୃପ୍ରସାଦ ପରିବାରର ଅନ୍ୟ ସଦସ୍ୟଙ୍କ ଆକାଉଣ୍ଟକୁ ପଠାଉଥିଲେ ।
୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ଧରି ଏଭଳି ଢଙ୍ଗରେ ଅର୍ଥ ହଡ଼ପ ଚାଲିଥିଲା । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ.୧୧/୨୦୨୬, ଦଫା ୧୩ (୨) ଆର/ ଡବ୍ଲୁ/୧୩(୧)(ଏ)ପିସି ଆମେଣ୍ଡମେଣ୍ଟ ଆକ୍ଟ, ୨୦୧୮/୪୦୯/୪୭୭-ଏ/୧୨୦-ବିରେ ମାମଲା ରୁଜୁ କରାଯାଇଛି । ମାତୃପ୍ରସାଦଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାର ତଦନ୍ତ ଜାରି ରହିଛି । ମାମଲାରେ ସମ୍ପୃକ୍ତ ଅନ୍ୟମାନେ ଗିରଫ ହେବେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।












Leave a Reply