ଅକ୍ଷର ବ୍ୟୁରୋ: କଟକ SCBରେ ICU ବେଡରୁ ରୋଗୀ ଖସି ପଡିବାର ଘଟଣାର କାର୍ଯ୍ୟାନୁଷ୍ଠାନ । ବଦଳିଲେ ପ୍ରଫେସର ଓ ୩ ନର୍ସିଂ ଅଫିସର । ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ୱରୁ ହଟାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି SCB ଅତିରିକ୍ତ ଅଧୀକ୍ଷକ । ଜଣେ ମହିଳା ରୋଗୀ ଶୋଇଥିବା ବେଡର ବାଡ଼ା ଭାଙ୍ଗି ତଳକୁ ଖସିପଡୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଆଇସିୟୁ ରୁମରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଏଭଳି ଅବସ୍ଥା ବେଳେ କେହି କେମିତି ପାଖରେ ନଥିଲେ ଓ ସେ କିଭଳି ଏମିତି ଅବସ୍ଥାକୁ ଆସିଲେ, ତାହା ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା । ଖୋଦ୍ କଟକ ଏସିସିବି ଆଇସିୟୁ ଭିତରେ ରୋଗୀ ଅବହେଳାର ଏ ନଗ୍ନ ଚିତ୍ର ସାମ୍ନାକୁ ଆସିବା ପରେ ଦାୟିତ୍ୱରେ ଥିବା ଡାକ୍ତର-ନର୍ସ ଓ ଆଟେଣ୍ଡାଣ୍ଟଙ୍କ ଖାମଖିଆଲି ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।
ସୂଚନା ଅନୁସାରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ମେଡିସିନ୍ ଆଇସିୟୁ ଭିତରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ମହିଳା ରୋଗୀ ଛଟପଟ ହୋଇ ବାଡ ଭାଙ୍ଗି ସିଧା ବେଡ୍ ତଳକୁ ଖସିପଡୁଛନ୍ତି । ଏସସିବି ଆଇସିୟୁରୁ ଚକିତ କଲା ଭଳି ଏଭଳି ଚିତ୍ର ସାମ୍ନାକୁ ଆସିଥିଲା । ତେବେ ସେ ସମୟରେ ଡ୍ୟୁଟି ଥିବା ଡାକ୍ତର, ନର୍ସ କଣ କରୁଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏସସିବି ମେଡ଼ିକାଲର ଆଇସିୟୁରେ ଏଭଳି ଅବହେଳା ଘଟଣା ନୂଆ ନୁହେଁ । ଆଗରୁ ମଧ୍ୟ ଆଇସିୟୁ ଭିତରେ ରୋଗୀ ଅବହେଳାର ଅନେକ ଦୁର୍ନାମ ଏସସିବି ମୁଣ୍ଡାଇଛି । ଏସସିବିର ଟ୍ରମା ଆଇସିୟୁରେ କର୍ମଚାରୀ ଓ ନର୍ସମାନେ ହୋଲି ରଙ୍ଗ ଖେଳୁଥିବାର ଦୃଶ୍ୟ ଭାଇରଲ ହୋଇଥିଲା । ସେହିପରି ସେଣ୍ଟ୍ରାଲ ଆଇସିୟୁ ଭିତରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଏକା ପାଇ ଅସଦାଚରଣ କରିଥିଲେ ମେଡିକାଲର ଜଣେ ଚତୁର୍ଥଶ୍ରେଣୀ ଠିକା କର୍ମଚାରୀ । ପରିବାର ଲୋକଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା ମଙ୍ଗଳାବାଗ ପୋଲିସ ।












Leave a Reply