ଆସନ୍ତା ୧ ତାରିଖ ବେଳକୁ ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା । ୩୦ରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ । ଏହାରି ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି । ଅବପାତରେ ପରିଣତ ହୋଇଛି ସ୍ପଷ୍ଟଚିହ୍ନିତ ଲଘୁଚାପ । ଗତକାଲି ରାତି 11.30ରେ ଲଘୁଚାପଟି 10 କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି । ଆଜି ଏହା ପଶ୍ଚିମ ଆଡକୁ ଗତି କରି ପୁରୀ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ପରେ ଏହା ଧିରେ ଧିରେ ଦୁର୍ବଳ ହେବ ଅବପାତରେ ପରିଣତ ହେବ । ଅବପାତ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ଆଜି ସାରା ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଡ଼ି ପବନ ରହିବ । ଅତି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି 60 କିମି ବେଗରେ ପବନ ବହିବାକୁ ନେଇ ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ବର୍ଷା ସହ 60 କିମି ବେଗରେ ଝଡ଼ି ପବନ ବହିବାର ସମ୍ଭାବନା ରହିଛି । ଆଜି ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଏବଂ ବିଜୁଳି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି ।












Leave a Reply