ରାଜ୍ୟରେ ସାର ସମସ୍ୟାକୁ ନେଇ ଆସନ୍ତା ୧୭ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି। ଏହାପରେ ମଧ୍ୟ ସରକାର ନ ଚେତିଲେ ଜିଲାପାଳ ଅଫିସ୍ ଓ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ । ଏନେଇ ଆଜି ଚେତାବନୀ ଦେଇଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ତାଙ୍କ କହିବା ମୁତାବକ, ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଅଭାବୀ ଧାନ ବିକ୍ରି ଚାଲିଛି। ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣରେ ସମସ୍ୟା ରହିଛି। ଖାଲି ସେତିକି ନୁହେଁ, ସାର ଅଭାବ ଚାରିଆଡ଼େ ଦେଖାଦେଇଛି। ହେଲେ ଉପ-ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ। ସରକାର ବୋଧେ ବଧିର ହୋଇ ଯାଇଛନ୍ତି ବୋଲି କହିଛନ୍ତି ବିଜେଡି ନେତା ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାତି ଅଧରୁ ଚାଷୀ ଆଧାର କାର୍ଡ ଧରି ଛିଡ଼ା ହେଉଛନ୍ତି। ସରକାରୀ ତଥ୍ୟ କିନ୍ତୁ କିଛି ଭିନ୍ନ କହୁଛି। ଗଞ୍ଜାମ ଜିଲ୍ଲାର ଜିଲାପାଳ କହିଲେ ତାଙ୍କୁ ୧୯ ହଜାର ୫୦୦ ମେଟ୍ରିକ ଟନ୍ ସାର୍ ଆବଶ୍ୟକ, ହେଲେ ତାଙ୍କୁ ୧୦ ହଜାର ମେଟ୍ରିକ ଟନ୍ ସାର ମିଳିଛି। ଏମିତି କି ସବୁ ଜିଲ୍ଲାରେ ଆବଶ୍ୟକ ଥିବା ସାର ମିଳି ପାରିନାହିଁ। ଉପମୁଖ୍ୟମନ୍ତ୍ରୀ ଗତକାଲି ସାରର ଅଭାବ ନଥିବା କଥା କହିଥିଲେ। ଯାହାଦ୍ୱାରା କି ଚାଷୀ କୂଳକୁ ପ୍ରତାରଣା କରିଛି ସରକାର। ସରକାର ତାଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗନ୍ତୁ ବୋଲି କହିଛନ୍ତି ବିଜେଡି ନେତା ।












Leave a Reply