ରାଜ୍ୟରେ ଗ୍ୟାସ୍ ସଙ୍କଟ ଲାଗିଥିବା ବେଳେ କିଛି ସ୍ଥାନରେ ଚାଲିଛି କଳାବଜାରୀ; ଖବର ପାଇ ରେଡ୍ କରିଛି ଯୋଗାଣ ବିଭାଗ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଗ୍ୟାସ୍ ସଙ୍କଟ ଲାଗିଥିବା ବେଳେ ଗ୍ୟାସ ସିଲିଣ୍ଡର ନେବାକୁ ବିଭିନ୍ନ ଡିଲରଙ୍କ ଆଗରେ ଭିଡ଼ ଲଗାଇଛନ୍ତି ଗ୍ରାହକ । ଏହି ପରିସ୍ଥିତର ଫାଇଦା ନେଉଛନ୍ତି କିଛି ଲୋକ । ଗ୍ୟାସ ଅଭାବ ଭିତରେ ଚାଲିଛି କଳାବଜାରୀ । ଏସବୁ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ୍ ପଡିଛି । ଆଜି କେନ୍ଦ୍ରାପଡ଼ାର ବିଭିନ୍ନ ଦୋକାନ ଉପରେ ରେଡ୍ କରିଛି ଯୋଗାଣ ବିଭାଗ । କିଛି ହୋଟେଲରେ ଘରୋଇ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଥିଲା । ଏସବୁ ଜବତ କରିଛି ଯୋଗାଣ ବିଭାଗ ।

ଅନ୍ୟପଟରେ ଅନୁଗୁଳ ତାଳଚେରରେ ଯୋଗାଣ ବିଭାଗ ପକ୍ଷରୁ ବେଆଇନ ଭାବେ ବିକ୍ରି ହେଉଥିବା ଗ୍ୟାସ ସିଲିଣ୍ଡର ଦୋକାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଦୁଇଟି ଦୋକାନରୁ ୨୫ ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ସୂଚନା ଅନୁସାରେ ଗତ ଦୁଇଦିନ ହେବ ତାଳଚେର ବାଇପାସ ଛକ ଠାରେ ରହିଥିବା ଦୁଇଟି ଗ୍ୟାସ ଦୋକାନରେ ବେଆଇନ ଭାବେ ଓ ଉଚ୍ଚା ଦରରେ ଗ୍ୟାସ ବିକ୍ରି ହେଉଥିବା ନେଇ ତାଳଚେର ଯୋଗାଣ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତାଳଚେର ଯୋଗାଣ ବିଭାଗ ଅଧିକାରୀ ଲିପ୍ସା ରାଣୀ ରାଉତ ଏକ ଟିମ ଗଠନ କରିଥିଲେ । ଯେଉଁଥିରେ ଯୋଗାଣ ବିଭାଗ ଅଧିକାରୀଙ୍କ ସହିତ ମାଜିଷ୍ଟ୍ରେଟ ଭାବେ ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀ ଓ ତାଳଚେର ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ମଲ୍ଲିକଙ୍କ ସହିତ କଣିହାଁ ଯୋଗାଣ ନିରୀକ୍ଷକ ପ୍ରଣତି ମାଝି ଏବଂ ପୁଲିସ ପ୍ରଶାସନର ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)