ଦିନକ ପରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି । ଏନେଇ ବିସ୍ତୃତ ଭାବେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ । ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ । ଯାହା ଆମ ସଂକଳ୍ପ ପତ୍ରରେ ସ୍ଥାନ ପାଇଥିଲା, ତାହା ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗ ଦର୍ଶନରେ ସବୁ କାର୍ଯ୍ୟ କରି ଚାଲିଛୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ଆମକୁ ଚଳଚଞ୍ଚଳ କରିଛି । ଆସନ୍ତା ୨୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ । ଗତ ବର୍ଷ ଜୁନ ୧୨ ତାରିଖରେ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ସହ ସୁଭଦ୍ରା ଯୋଜନା ଲାଗୁ କରିଥିଲୁ । ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ଗଠନ କରିଥିଲୁ । ଧାନ କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ୍ ପ୍ରତିଶ୍ରୁତି ଦେଇ ପୂରଣ କଲୁ । ଏହା ଭିତରେ ଆମେ ପାଖାପାଖି ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛୁ । ସମୃଦ୍ଧ କୃଷି ଯୋଜନାରେ ଆମେ ୩୭,୮୦୦ କୋଟିର ବଜେଟ୍ କରିଛୁ । ଆଗରୁ କେବେ ସରକାର କୃଷି ପାଇଁ ଏତେ ବଜେଟ୍ କରି ନଥିଲେ, ରାଜ୍ୟର ଚାଷୀ ଆଜି ଅନେକ ମାତ୍ରାରେ ଉପକୃତ ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି ମଧ୍ୟ କହିଛନ୍ତି ଯେ, ଜୁନ୍ ୯ ତାରିଖ ୨୦୨୪ ହେଉଛି ସ୍ୱାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହିଦିନ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଭାବେ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଗତକାଲି ମୋଦୀଙ୍କ ନେତୃତ୍ୱାଧୀନ ସରକାର ସଫଳତାର ସହ ୧୧ ବର୍ଷ ପୂରା କରିଛି । ଆଉ ତା ସହିତ ୩ୟ ପାଳିର ପ୍ରଥମ ବର୍ଷ ମଧ୍ୟ ପୂରଣ ହୋଇଛି । ମେ ୨୬ ତାରିଖ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ଏବେ ଏହାକୁ ୧୧ ବର୍ଷ ପୂରଣ ହୋଇଛି । ତେବେ ଲୋକଙ୍କ ଆଶା ଭରସାକୁ ଅତୁଟ ରଖିବାରେ ମୋଦୀ ସରକାର ସମର୍ଥ ହୋଇଛି । ଏହି ୧୧ ବର୍ଷର ସଫଳତାର ତାଲିକା ବହୁତ ଲମ୍ବା ଏବଂ ଯୁଗାନ୍ତକାରୀ ।
ସଂକ୍ଷେପରେ କହିବାକୁ ଗଲେ ଦେଶରେ ମୋଦୀ ସରକାର ଆସିବା ପରେ ଆମ ଦେଶର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଅବସ୍ଥାରେ ଅଦ୍ଭୁତ ପୂର୍ବ ଭାବେ ପରିବର୍ତ୍ତନ ଆସିଥିଲା । ଦେଶରେ ଏକ ସ୍ଥିର ଶାସନ ଆସିଥିଲା । ନିଜ ନେତୃତ୍ୱକାଳ ଭିତରେ ମୋଦୀ ସରକାର ଧାରା ୩୭୦ର ଉଚ୍ଛେଦ, ନାରୀଶକ୍ତି ବନ୍ଦନ ଅଧିନିୟମ, ତିନି ତଲାକର ଉଚ୍ଛେଦ, ଏକକ ଜିଏସଟିର ପ୍ରଚଳନ କରିଥିଲେ । ଏହାସହିତ ମୋଦୀ ସରକାର କୋଭିଡ୍ କବଳରୁ ମଧ୍ୟ ଲୋକଙ୍କୁ ଉଚିତ ସୁରକ୍ଷା ଦେବାରେ ସଫଳ ହେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନ୍ୟପଟେ ବିଶ୍ୱବ୍ୟାଙ୍କର ରିପୋର୍ଟ କଥା କହି ମୋହନ ମାଝୀ କହିଥିଲେ, ୧୩ ବର୍ଷ ମଧ୍ୟରେ ଦେଶରେ ଦାରିଦ୍ର୍ୟଙ୍କ ସଂଖ୍ୟା ୨୭.୧ ପ୍ରତିଶତରୁ ୫.୩ ପ୍ରତିଶତକୁ ହ୍ରାସ ପାଇଛି । ଅର୍ଥାତ ୨୭ କୋଟି ଲୋକ ଦାରିଦ୍ର୍ୟତାରୁ ମୁକ୍ତି ପାଇଛନ୍ତି । ଏହାସହ ଆତଙ୍କବାଦର କଡା ଜବାବ ଦେବାକୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ମୋହନ ମାଝୀ । ସେପଟେ ଓଡ଼ିଶାରେ ମଧ୍ୟ ଆମ ସରକାର ୧ ବର୍ଷ ପୂରଣ କରିବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପ ପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି ବୋଲି ସେ କହିଛନ୍ତି । ସରକାର ଆସିବାର ପ୍ରଥମ ଦିନରେ ୪ଟି ପ୍ରମୁଖ ନିଷ୍ପତ୍ତି ନେବା ସହିତ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଥିଲା ବୋଲି କହିବା ସହିତ ନିଜ ସରକାରର ଗୋଟି ଗୋଟି କରି ଉପଲବ୍ଧି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।












Leave a Reply