କୋଇଲା ଖଣି ଦୁର୍ନୀତି ମାମଲା; ଆଜି ନୂଆଦିଲ୍ଲୀରୁ ସିବିଆଇର ଏକ ଟିମ୍ ପହଞ୍ଚି ଗ୍ରାମବାସୀଙ୍କୁ କରିବ ଜେରା ।

ଅକ୍ଷର ବ୍ୟୁରୋ: ସମ୍ବଲପୁର ତଲାବିରା କୋଇଲା ଖଣି ଦୁର୍ନୀତି ନେଇ ପୁଣି ସିବିଆଇର ଜେରା । ଆଜି ନୂଆଦିଲ୍ଲୀରୁ ସିବିଆଇର ଏକ ଟିମ୍ ସମ୍ବଲପୁର ପହଞ୍ଚିବା ପରେ ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀମାନଙ୍କୁ କରାଯିବ ଜେରା । କୋଇଲା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଫେବ୍ରୁଆରି ୧୯୯୪ ମସିହାରେ ଇଣ୍ଡଲ ତଥା ବର୍ତ୍ତମାନର ହିଣ୍ଡାଲ୍‌ ଇଣ୍ଡଷ୍ଟ୍ରିକୁ ତଲାବିରା-୧ କୋଇଲା ଖଣି ଆବଣ୍ଟନ କରାଯାଇଥିଲା । ଯେତିକି କୋଇଲା ଖନନ ପାଇଁ ଅନୁମତି ମିଳିଥିଲା, ହିଣ୍ଡାଲ୍‌ ତାଠାରୁ ବହୁ ଅଧିକ ପରିମାଣର କୋଇଲା ଖନନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆବଶ୍ୟକ ଅନୁମତି ବିନା କମ୍ପାନି କୋଇଲା ଖନନ କରିଥିଲା ।

ପୂର୍ବରୁ ତଲାବିରା କୋଇଲା ଦୁର୍ନୀତି ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ପରବର୍ତ୍ତୀ ସମୟରେ ମାମଲାକୁ ବନ୍ଦ କରିଦିଆଯାଇଥିଲା । ତେବେ, ୨୦୧୪ ମସିହାରେ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୁଣି ସିବିଆଇ ପକ୍ଷରୁ ଏକ ନୂଆ ମାମଲା ରୁଜୁ କରାଯାଇଥିଲା । ଏଥିରେ କେତେକ ଅଜ୍ଞାତ ସରକାରୀ ଅଧିକାରୀ ଓ ହିଣ୍ଡାଲ୍‌କୋ ଇଣ୍ଡିଷ୍ଟ୍ରିକୁ ପକ୍ଷଭୁକ୍ତ କରାଯାଇଥିଲା । ସେହି ସମୟରେ ମୁମ୍ବାଇ ସମେତ ସମ୍ବଲପୁର ଜିଲ୍ଲାର ୪ଟି ଜାଗାରେ ସିବିଆଇ ଚଢ଼ଉ କରିଥିଲା । ୨୦୨୨ ମସିହାରେ ପୁଣି ସିବିଆଇ ପକ୍ଷରୁ ତନଘନା କରାଯାଇଥିଲା । ଆଜି ପୁଣି ଥରେ ସିବିଆଇ ପକ୍ଷରୁ ଜେରା କରାଯିବ । ଇନ୍‌ସ୍ପେକ୍ଟର ରବିରାଜ ଖଟିକଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ବଲପୁର ପହଞ୍ଚି ପଞ୍ଚାୟତ କାର୍ୟ୍ୟାଳୟରେ ଖିଣ୍ଡା ଓ ବାବୁଖିଣ୍ଡା ଗାଁର ୧୯ ଜଣ ଲୋକଙ୍କ ସମେତ ଖିଣ୍ଡାର ହେମନ୍ତ ରାଉତ ଓ ତଲାବିରାର ପଦ୍ମ ଧୋଜଙ୍କୁ ସ୍ବତନ୍ତ୍ର ଭାବେ ପଚରାଉଚରା କରିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)