ଅକ୍ଷର ବ୍ୟୁରୋ: ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି । ପୋଷ୍ଟାଲ ବାଲାଟ୍ ପ୍ରଥମେ ଗଣିତି ହେଉଛି, ପରେ ଇଭିଏମ୍ ଗଣତି ହେବ । ମୋଟ ୧୪ଟି ଟେବୁଲ୍ରେ ୨୬ ରାଉଣ୍ଡ ଗଣତି ହେବ । ମଧ୍ୟାହ୍ନ ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ ଜଣାପଡିବ । ଏବଂ ସନ୍ଧ୍ୟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ । ଗଣତିକୁ ସମ୍ପୂର୍ଣ୍ଣ ସ୍ୱଛ ଓ ପାରଦର୍ଶିତାର ସହ ଶେଷ କରିବା ପାଇଁ ସାମିଲ ହେବାକୁ ଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ । ଗଣତି ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଦୀର୍ଘ 75 ବର୍ଷର ରେକର୍ଡ ଭାଙ୍ଗିଛନ୍ତି ନୂଆପଡ଼ାବାସୀ । 2025 ଉପନିର୍ବାଚନରେ ସର୍ବାଧିକ 83.45 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ବିଜେପି ସରକାରରେ ଏହା ହେଉଛି ପ୍ରଥମ ଉପ-ନିର୍ବାଚନ । ଜଣେ କି ୨ ଜଣ ନୁହେଁ, ୫ ଜଣ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଠାରେ କ୍ରମାଗତ ପ୍ରଚାର କରିଛନ୍ତି । କୋମନା, ନୂଆପଡ଼ା ଓ ଖରିଆର ରୋଡ ଯାଏଁ ଶୋଭାଯାତ୍ରାରେ ବୁଲିଛନ୍ତି । ପ୍ରାର୍ଥୀଙ୍କ ପାଇଁ ଜନତାଙ୍କୁ ଭୋଟ ଭିକ୍ଷା ସହ ଅନେକ ଆଶା, ବିଶ୍ୱାସ ଓ ପ୍ରତିଶ୍ରୁତି ଦେଇଛନ୍ତି ।
ନୂଆପଡ଼ାବାସୀଙ୍କ ସହ ବିଜେପି, ବିଜେଡି ଓ କଂଗ୍ରେସ ଶିବିରରେ ଭରି ରହିଛି ଉତ୍କଣ୍ଠା । ଭୋଟ ଗଣତି ପରେ ନୂଆପଡ଼ା ଦେଖିବ ନୂଆ ବିଧାୟକ । ପୁଣି ହେବ ନୂଆ ଶୋଭାଯାତ୍ରା । ନୂଆପଡ଼ା ନିର୍ବାଚନମଣ୍ଡଳୀ(୭୧)ର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଏଠାରେ ପ୍ରଥମ ଥର ଉପ-ନିର୍ବାଚନ ଅନୁଷ୍ଠିତ ହୋଇଛି । ବିଜେପିରୁ ସ୍ୱର୍ଗତ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ, ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ଓଡ଼ିଶା ଜନତା ପାର୍ଟିରୁ ଶୁକଧର ଦଣ୍ଡସେନାଙ୍କ ସମେତ ୧୪ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଅନୁକମ୍ପା ଆଧାରରେ ମତଦାନ ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ବଦଳିଯାଇଥିବା ପ୍ରଚାର ଶୈଳୀରୁ ଲକ୍ଷ୍ୟ କରାଯାଇଛି । ବିଜେପି ଏଠାରୁ ବିଜୟ ତିଳକ ଲଗାଇବାକୁ ଆଶାବାଦୀ ଥିବାବେଳେ ବିଜେଡି ପୁଣିଥରେ ନୂଆପଡ଼ା ଦଖଲ ସ୍ୱପ୍ନ ରଖିଛି । ଗତ ୪ଥର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା କଂଗ୍ରେସର ଘାସିରାମ ମାଝୀଙ୍କ ଦୃଢୋକ୍ତି କଂଗ୍ରେସପ୍ରେମୀଙ୍କୁ ଉତ୍ସାହିତ କରୁଛି ।












Leave a Reply