କୋଭିଡ ସଂକ୍ରମଣ ବଢୁଥିବାରୁ ସର୍ତକ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

ଅଦୃଶ୍ୟ ଭୂତାଣୁ କୋଭିଡ୍‌-୧୯ ପୁଣି କଡ଼ ଲେଉଟାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରସ୍ତୁତି ଚଳାଇବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍‌, ଭେଣ୍ଟିଲେଟର ଓ ଜରୁରୀ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ସର୍ଭିଲାନ୍ସ ଓ ଟେଷ୍ଟିଂକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ମଧ୍ୟ କୋଭିଡ୍‌ର ଉପଯୁକ୍ତ ବ୍ୟବହାର ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।

ବିଭିନ୍ନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ହେଁ ମୃତ୍ୟୁ ଆଶଙ୍କା କମ୍‌ ରହିଛି। ଅଧିକାଂଶ ସଂକ୍ରମିତଙ୍କଠାରେ ମାଇଲ୍ଡ ଲକ୍ଷଣ ଦେଖିବାକୁ ମିଳୁଛି। ପୂର୍ବରୁ ନିଆଯାଇଥିବା କୋଭିଡ୍‌ ଟିକାର ସୁରକ୍ଷା ମଣିଷ ଶରୀରରେ ହ୍ରାସ ପାଇଥିବାରୁ ଭୂତାଣୁ ପୁନର୍ବାର ସକ୍ରିୟ ହୋଇ ଉଠିଥିବା କୁହାଯାଉଛି। ଭାରତରେ ଗତ ୨୪ ଘଣ୍ଟା ଭିତରେ ୮୬୪ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୪,୩୦୨ ଛୁଇଁଛି। ସେହିପରି ଦିନକ ଭିତରେ ୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦିଲ୍ଲୀ, କେରଳ ଓ ତାମିଲନାଡୁରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ୨୦୨୫ରେ ଉଭୟ ସଂକ୍ରମଣ ଓ ମୃତ୍ୟୁରେ ଏହା ହେଉଛି ସର୍ବାଧିକ। ଏହାକୁ ମିଶାଇ ଗତ ଜାନୁଆରୀରୁ ୪୪ କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁ ଘଟିଲାଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ୍ୱେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। ଅନ୍ୟପକ୍ଷେ ୨୪ ଘଣ୍ଟା ଭିତରେ ୫୮୧ ରୋଗୀ ସଂକ୍ରମଣମୁକ୍ତ ହୋଇଛନ୍ତି। ଏଥିସହ ଅରୋଗ୍ୟଙ୍କ ସଂଖ୍ୟା ୩,୨୮୧ ଛୁଇଁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)