କଟକ ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ । ପୋଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି । ସୂଚନାଯୋଗ୍ୟ ଯେ, କଟକରେ ଭସାଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି । ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ।
ଗୀତ ବଜାଇବାକୁ ବିରୋଧ କରି କାଚ ଓ ପଥର ମାଡ କରାଯାଇଥିବା ସୂଚନା ରହିଛି । ଏହି ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି । କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ତା’କୁ ଅତିକ୍ରମ କରି ଆଗକୁ ଯାଇଥିଲା । ରାଉସାପାଟଣା ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ ।
ସୁରକ୍ଷା ପାଇଁ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୁତୟନ ହୋଇଥିଲେ । ଏହି ଘଟଣାକୁ ନେଇ ଅତିରିକ୍ତ ସିପି ନରସିଂହ ଭୋଳ କହିଥିଲେ, ପୋଲିସ, ଶାନ୍ତି କମିଟି ଓ ପୂଜା କମିଟି ଗୁଡିକର ସହଯୋଗ ପାଇଁ ଏକ ବଡ଼ ଅଘଟଣ ଏଡାଇ ଦିଆଯାଇ ପାରିଛି । ଏଭଳି ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କୁ ଚିହ୍ନଟ କରାଯାଇଛି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ଥିତି ଏବେ ସ୍ୱାଭାବିକ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।












Leave a Reply