ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ଆସନ୍ତା ୪ଦିନ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ।

ଦକ୍ଷିଣ ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ରବିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୪ ଦିନ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ବର୍ଷା ଯୋଗୁଁ ତାତି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ଓ ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବ ଯୋଗୁଁ ତାତି କମିବ । ସୋମବାର କେବଳ ସମ୍ବଲପୁରକୁ ଛାଡ଼ି ରାଜ୍ୟର ସବୁ ସ୍ଥାନରେ ତାତି ୪୦ ଡିଗ୍ରୀ ତଳେ ରହିବ । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୋମବାର ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ । ଘୂର୍ଣ୍ଣିବଳୟ ସତ୍ତ୍ୱେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିବ । ମଙ୍ଗଳବାର ଉପକୂଳ ଓଡ଼ିଶାର ପାଗ ବଦଳିବ । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ବର୍ଷା ସହ ହାଲୁକା ପବନ ବହିବାର ମଧ୍ୟ ସମ୍ଭାବନା ଅଛି ।

୧୦ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ତାତି ଖସିପାରେ । ବାକି ସୋନପୁର, ବୌଦ୍ଧ, ସମ୍ବଲପୁର, ଟିଟିଲାଗଡ଼ ଓ ବଲାଙ୍ଗୀରରେ ତାତି ୪୦ ଡିଗ୍ରୀ ଉପରେ ରହିବ ବୋଲି କୁହାଯାଇଛି । ୧୧ ଓ ୧୨ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ଆଉ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସୋମବାର ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୦.୬ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ୪୦, ରାଉରକେଲାରେ ୩୮.୧, ଭୁବନେଶ୍ୱରରେ ୩୭.୮, କେନ୍ଦୁଝର ଓ ଚାନ୍ଦବାଲିରେ ୩୭.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)