ଚୋରି ହେଲା ମହାପ୍ରଭୁଙ୍କ ଦଶମୂଳ ମୋଦକ; ଅଭିଯୋଗ ଆଣିଲେ ବଳଭଦ୍ରଙ୍କ ବାଡଗ୍ରାହୀ ।

ଅଣବସର ଦଶମ ଦିନରେ ପହଞ୍ଚିଛି। ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକ ଲାଗି ମହାପ୍ରଭୁଙ୍କ ପାଖରେ ଲାଗି ହେବା ପୂର୍ବରୁ ଚୋରି କରାଯାଇଥିବା ଅଭିଯୋଗ ଆସିଛି। ଗାରଦ ଘରୁ ଚୋରି କରିନେଲେ ଅମୁଣିଆ ମୋଦକ। ଶ୍ରୀମନ୍ଦିର ଗାରଦରେ ଜମାଥିବା ଦଶମୂଳ ମୋଦକ ଚୋରି ହୋଇଥିବା ନେଇ ମଙ୍ଗଳବାର ଅଭିଯୋଗ ଆସିଛି। ମହାପ୍ରଭୁ ସୁସ୍ଥ ହେବା ପାଇଁ ଆସିଥିବା ଦଶମୂଳ ମୋଦକ ଚୋରି ହୋଇଛି। ରାଜବୈଦ୍ୟ ଦେଇଥିବା ସମୁଦାୟ ୩୧୩ଟି ଅମୁଣିଆ ମୋଦକରୁ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା।

ଅଣବସର ଏକାଦଶୀରେ ଅର୍ଥାତ ଗତ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା। ତେବେ ମାରା ହୋଇଯାଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ଭୋଗ ସମର୍ପିତ କରାଗଲା ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ଏହି ଚିଠିର ଏକ ନକଲ ଶ୍ରୀମନ୍ଦିର କମାଣ୍ଡର, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ବା ସୂଚନା ମିଳିନାହିଁ।

ଆଉ ଦୁଇ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ଏଭଳି ବିଭ୍ରାଟ ଚିନ୍ତା ବଢାଇଛି। ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ଶ୍ରୀଜିଉଙ୍କର ହେବ ବନକଲାଗି। ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ସେପଟେ ଅନ୍ତିମ ପର୍ଯ୍ୟାୟରେ ତିନି ରଥର କାମ। ତିନିରଥର ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ସେବକ। ଶେଷରେ ମହାପ୍ରଭୁଙ୍କ ରଥର ସିଂହାସନ ପ୍ରଭାର ଖୋଦେଇ କାର୍ଯ୍ୟ କରୁଛନ୍ତି। ଯେଉଁ ପ୍ରଭାରେ ମହାପ୍ରଭୁ ଆଉଜିକରି ବିରାଜିତ ହେବେ। ଅତି ସୁନ୍ଦର ଭାବରେ ଖୋଦେଇ କରିଛନ୍ତି ରୂପକାର। ଲିହଣ ମୁଗୁରରେ ରୂପକାର ମାନେ ନିଖୁଣ ଭାବରେ ରାହୁମୁଣ୍ଡ, ମଗର ମୁଣ୍ଡ, ଆୟୁଧ ଖୋଦେଇ କରିଛନ୍ତି। ଏପଟେ ରୁପକାରମାନେ ରଥକୁ ବିଭିନ୍ନ ରଙ୍ଗରେ ସଜାଉଥିବା ବେଳେ ଦର୍ଜି ସେବାୟତ ରଥକୁ ମୁଣ୍ଡୁଳି ଦେବାରେ ବ୍ୟସ୍ତ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)