ଅକ୍ଷର ବ୍ୟୁରୋ: ସରିଲା ରାଜ୍ୟସଭା ନିର୍ବାଚନ । କ୍ରସ୍ ଭୋଟିଂ ପଲଟାଇଦେଲା ବାଜି । ବାଜିମାତ୍ କଲେ ଦିଲ୍ଲୀପ ରାୟ । ହାରିଲେ ଦତ୍ତେଶ୍ୱର ହୋତା । ୪ଟି ରାଜ୍ୟସଭା ଆସନ ଖାଲି ପଡ଼ିଥିଲା । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେପିର ୨ଜଣ ପ୍ରାର୍ଥୀ, ବିଜେଡିର ଜଣେ ପ୍ରାର୍ଥୀ ନିଶ୍ଚିତ ଜିତିବାର ଥିଲା । ସେମାନେ ଜିତିଲେ । କିନ୍ତୁ ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ମିଳିତ ପ୍ରାର୍ଥୀ ଦେବା ପରେ ବିଜେପି ପ୍ରାର୍ଥୀଙ୍କର ଜିତିବାର ସମ୍ଭାବନା ନଥିଲା । କାରଣ ବିଜେଡି, କଂଗ୍ରେସ ଓ ସିପିଆଇ(ଏମ୍) ବିଧାୟକଙ୍କ ସଂଖ୍ୟା ଥିଲା ୩୩ । ସବୁ ପ୍ରାର୍ଥୀ ଭୋଟ ଦେଇଥିଲେ, ଜଣେ ପ୍ରାର୍ଥୀ ଜିତିବାକୁ ମୋଟ ୩୦ ବିଧାୟକଙ୍କ ଭୋଟ୍ ଆବଶ୍ୟକ ଥିଲା । ବିରୋଧୀ ଦଳର ମିଳିତ ପ୍ରାର୍ଥୀଙ୍କ ପାଇଁ ସ୍ପଷ୍ଟ ବହୁ ମତ ଥିଲା । ହେଲେ ବିଜେପି ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ କରିବା ପରେ ବିରୋଧୀଙ୍କ ଅଙ୍କ କଷା ଭୁଲ୍ ହୋଇଯାଇଥିଲା । ୧୧ ବିରୋଧୀ ବିଧାୟକଙ୍କ କ୍ରସ୍ଭୋଟିଂ ଦିଲୀପଙ୍କ ବିଜୟ ବାଟ ନିଶ୍ଚିତ କରିଦେଇଥିଲା ।
ଉଲ୍ଲେଖ ଥାଉକି, ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ୩୫ ଜଣ ଲେଖାଏ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ଅର୍ଥାତ୍ ୩୫୦୦ ଭୋଟ୍ ମିଳିଥିଲା । ସେହିପରି ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ୩୧ଜଣ ବିଧାୟକଙ୍କ ସମର୍ଥନ ଅର୍ଥାତ୍ ୩୧୦୦ ଭୋଟ୍ ମିଳିଥିଲା । ଡାକ୍ତର ଦତ୍ତେଶ୍ୱର ହୋତା ଓ ଦିଲୀପ ରାୟଙ୍କୁ ୨୩ଜଣ ଲେଖାଏ ବିଧାୟକଙ୍କ ସମର୍ଥନ ମିଳିଥିଲା । ଅର୍ଥାତ୍ ୨୩୦୦ ଲେଖାଏଁ ଭୋଟ ପାଇଥିଲେ । ଚତୁର୍ଥ ଆସନ ଜିତିବାକୁ କାହାର ବି ଆବଶ୍ୟକ ଭୋଟ୍ ନଥିବାରୁ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଅଧିକ ପ୍ରଥମ ପସନ୍ଦ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କର ଦ୍ବିତୀୟ ପସନ୍ଦ ଭୋଟ୍ ଗଣନା କରିବାକୁ କହିଥିଲେ । ହେଲେ ମନମୋହନ ଓ ସୁଜିତ କୁମାରଙ୍କ ଭୋଟ୍ ସମାନ ଥିବାରୁ କାହାର ଆଗ ଗଣତି ହେବ ସେନେଇ ଲଟେରି ହୋଇଥିଲା । ଏଥିରେ ସୁଜିତ କୁମାରଙ୍କୁ ମିଳିଥିବା ଦ୍ବିତୀୟ ପସନ୍ଦର ଭୋଟ୍କୁ ଗଣତି କରାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ବିଜେପି ବିଧାୟକମାନେ ମନମୋହନ ଓ ସୁଜିତଙ୍କୁ ୩୫ଟି ପ୍ରଥମ ପସନ୍ଦ ଭୋଟ୍ ଦେଇଥିଲେ ହେଁ ୨୨ଜଣ ଲେଖାଏ ବିଧାୟକ ଦ୍ବିତୀୟ ପସନ୍ଦ ଦେଇନଥିଲେ । ତେଣୁ ଯେଉଁ ୧୩ଜଣ ଲେଖାଏ ବିଧାୟକ ଦ୍ବିତୀୟ ପସନ୍ଦ ଭୋଟ୍ ଦେଇଥିଲେ ସେମାନଙ୍କ ଭୋଟ୍ ହିସାବ ହୋଇଥିଲା । ଏପରିକି କେତେକ ବିଜେପି ବିଧାୟକ ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତାଙ୍କୁ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ପସନ୍ଦ ଭୋଟ୍ ଦେଇଥିଲେ । ବିଜେପିର ରଣନୀତି ଅନୁସାରେ ଏହି ଭୋଟିଂ ହୋଇଥିଲା । ଏହାଦ୍ବାରା ସବୁଠୁ କମ୍ ପ୍ରିଫରେନ୍ସ ଭୋଟ୍ ସେମାନଙ୍କୁ ମିଳିଥାନ୍ତା । ହେଲେ ବିଜେଡି ଓ କଂଗ୍ରେସ ବିଧାୟକମାନେ କେବଳ ପ୍ରଥମ ଓ ଦ୍ବିତୀୟ ପସନ୍ଦ ଭୋଟ୍ ଦେଇଥିଲେ । କିନ୍ତୁ ମନମୋହନ ଓ ସୁଜିତ କୁମାରଙ୍କୁ ସନ୍ତୃପ୍ତଙ୍କ ତୁଳନାରେ ଅଧିକ ପ୍ରଥମ ପସନ୍ଦ ଭୋଟ୍ ମିଳିଥିବାରୁ ଦିଲୀପଙ୍କ ପାଇଁ ଦ୍ବିତୀୟ ପସନ୍ଦ ଭୋଟ୍ ଗଣତିବେଳେ ସେମାନଙ୍କ ଭୋଟ୍କୁ ହିସାବକୁ ନିଆଯାଇଥିଲା । କିଛି ଭୋଟ୍ ନାକଚ ହେଲେ ବି କିପରି ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଜିତିବେ ସେନେଇ ବି ବିଜେପି ପକ୍ଷରୁ ପୂରା ରଣନୀତି ପ୍ରସ୍ତୁତ ହୋଇଥିଲା ।












Leave a Reply