ପାର୍ବଣ ସମୟରେ ବେଆଇନ ଚାନ୍ଦା ଆଦାୟକାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ପୋଲିସ ଡିଜି ।

ପାର୍ବଣ ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ । ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ସିସିଟିଭି ଓ ଡ୍ରୋନ ବ୍ୟବହାର ହେବ । ସନ୍ଦିଗ୍ଧମାନଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି କହିଲେ ପୋଲିସ ଡିଜି । ତେବେ ପାର୍ବଣ ଋତୁରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଏସପିଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କଟକରେ ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍‌ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ପୋଲିସ୍ । କଟକ ଡିସିପି ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଗଗତ କରିଛନ୍ତି । ଡିସିପି କହିଛନ୍ତି ଯେ, କେହି ବଳପୂର୍ବକ ପୂଜା ଚାନ୍ଦା ମାଗିଲେ ପୋଲିସକୁ ଫୋନ୍‌ କରି ଜଣାନ୍ତୁ । ଏଥିପାଇଁ ଫୋନ୍‌ ନମ୍ବର ମଧ୍ୟ ଜାରି କରିଛି କଟକ କମିଶନରେଟ ପୋଲିସ । ଭୟ ନକରି ଫୋନ କରି ଜଣାଇବା ପାଇଁ ଜନସାଧାରଣଙ୍କୁ ଡିସିପି ଅପିଲ୍‌ କରିଛନ୍ତି । କଲ୍ କରିବାକୁ ଚାହୁଁଥିବା ବ୍ୟକ୍ତି ୨ଟି ମୋବାଇଲ୍‌ ନଂ ୭୩୨୮୦୭୭୩୨୪, ୮୪୮୦୫୧୩୦୦୭ ଫୋନ୍‌ କରନ୍ତୁ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)