ଅକ୍ଷର ବ୍ୟୁରୋ: ଅବକାରୀ ବିଭାଗରେ କାର୍ଯ୍ୟରତ ମହିଳା କନେଷ୍ଟବଳଙ୍କୁ ନିର୍ଯାତନା ଅଭିଯୋଗ । ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣି ଯାଜପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅବକାରୀ ବିଭାଗର କାର୍ଯ୍ୟରତ ମହିଳା କନେଷ୍ଟବଳ । ବିଭାଗରେ କାର୍ଯ୍ୟରତ କିଛି ଅଧିକାରୀଙ୍କ ସହ ଜଣେ ଆଉଟ୍ ସୋର୍ସିଂ କର୍ମଚାରୀ, ମାନସିକ ନିର୍ଯାତନା ଦେବା ସହ ଚରିତ୍ର ସଂହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି । ଏପରିକି ଅବକାରୀ ବିଭାଗର କିଛି କର୍ମଚାରୀ ମହିଳା କନେଷ୍ଟବଳଙ୍କ ଭଡ଼ା ଘର ବାସଭବନକୁ ଯାଇ ତାଙ୍କୁ ଶାରୀରିକ ଆକ୍ରମଣ କରିଥିବା ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ବରିଷ୍ଠ ଅଧିକାରୀ ଓ ଅବକାରୀ ଅଧିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିନଥିଲା ।
ଫଳରେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ମହିଳା କନେଷ୍ଟବଳ । ସେପଟେ ଅବକାରୀ ଅଧୀକ୍ଷକ କହିଛନ୍ତି, ପୂର୍ବରୁ ମହିଳା କନେଷ୍ଟବଳଙ୍କୁ ଯୌନ ଶୋଷଣ କରାଯାଇଥିବା ଏକ ଅଭିଯୋଗ ହୋଇଥିଲା । ତାଙ୍କ ଘରକୁ ତଦନ୍ତ ପାଇଁ ଆଇସିସି କମିଟି ଯାଇଥିଲା । ସେଥିରେ ମହିଳା କର୍ମଚାରୀ ଯାଇଥିଲେ । ମହିଳା କର୍ମଚାରୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଭିତ୍ତିହୀନ । କମିଟି ତଦନ୍ତ କରୁଛି, ରିପୋର୍ଟ ଆସିଲେ ସତ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ।












Leave a Reply