ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଆଜି ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି । ନଭେମ୍ବର ୧୦ ଯାଏ ସଡ଼କ ଏବଂ ପରିବହନ ଉପରେ ଆଲୋଚନା ହେବ । ଏହି ଅଧିବେଶନରେ ୩ ହଜାରରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ମୋଟ ୧୯ଟି ଟେକ୍ନିକାଲ ସେସନ ରହିବ ।ଏହାପୂର୍ବରୁ ଜନତା ମୈଦାନରେ ଆୟୋଜିତ ହୋଇଥିବା ଟେକ୍ନିକାଲ ସେସନକୁ ଉଦଘାଟନ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୦ ବର୍ଷ ପରେ ଇଣ୍ଡିଆନ ରୋଡ କଂଗ୍ରେସର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେଉଛି । ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ଓ ବିକଶିତ ରାଜ୍ୟ ଗଢିବାକୁ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।
ରୋଡ୍ କଂଗ୍ରେସ ସମାବେଶରେ ଆହୁରି ମଧ୍ୟ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ସମ୍ବୋଧନ କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି’ । ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି ବୋଲି କହିଛନ୍ତି ଗଡ଼କରୀ । ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା’ । ‘ଅର୍ଥ ଖର୍ଚ୍ଚ କରିବାକୁ ହେଲେ ସକରାତ୍ମକ ଚିନ୍ତା ଓ ଟ୍ରାନ୍ସପରେନ୍ସି ଆବଶ୍ୟକ’ । ଏଥିସହ ଶୀଘ୍ର ନିଷ୍ପତ୍ତି ନେବା ଦରକାର, ଯାହା ବି ନିଷ୍ପତ୍ତି ନିଅନ୍ତୁ ଶୀଘ୍ର ନିଅନ୍ତୁ’ । ସଚ୍ଚୋଟ ବି ହେବା ଦରକାର, ଶୀଘ୍ର ନିଷ୍ପତ୍ତି ମଧ୍ୟ ନେବା ଆବଶ୍ୟକ’ । ଦେଶକୁ ଆଗକୁ ନେବାକୁ ହେଲେ ଏସବୁ ଆବଶ୍ୟକ ବୋଲି କହିଛନ୍ତି ଗଡ଼କରୀ ।
ଏହାସହ ଓଡ଼ିଶା ସମେତ କିଛି ରାଜ୍ୟରେ ହାଇଡ୍ରୋଜେନ୍ ଗାଡ଼ି ଚାଲିବ ବୋଲି ନିତିନ ଗଡ଼କରୀଙ୍କ ଘୋଷଣା । ‘ପାଇଲଟ ପ୍ରୋଜେକ୍ଟରେ ଓଡ଼ିଶା ସମେତ ଆଉ କିଛି ରାଜ୍ୟରେ ଚାଲିବ । ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ, ଏହା ହେଉଛି ଭବିଷ୍ୟତ ବୋଲି କହିଛନ୍ତି ଗଡ଼କରୀ । ଦେଶର ଚାଷୀ କେବଳ ଅନ୍ନଦାତା ନୁହନ୍ତି, ଇନ୍ଧନଦାତା ମଧ୍ୟ । ଏବେ ଚାଷୀ ଇଥାନଲ୍ ପ୍ରସ୍ତୁତ କରୁଛି, ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହେଉଛି । ଏହାକୁ ଓଡ଼ିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍ ବୋଲି କହିଛନ୍ତି ଗଡ଼କରୀ’ ।












Leave a Reply