୨୦୩୬ ମସିହା ସୁଦ୍ଧା ରାଜ୍ୟର ୯୦ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ।

ଅକ୍ଷର ବ୍ୟୁରୋ: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ । ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି ପଞ୍ଚାୟତ ପକ୍ଷ-୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ୨୦୩୬ ମସିହା ସୁଦ୍ଧା ରାଜ୍ୟର ୯୦ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯିବ । ବୃହତ, ମଧ୍ୟମ ଓ କ୍ଷୁଦ୍ର ପ୍ରକଳ୍ପ ସମେତ ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ସ୍କିମ୍ ଏବଂ ଚେକ୍ ଡ୍ୟାମ୍ ଜରିଆରେ ଏହି ସୁବିଧା ସମ୍ପ୍ରସାରଣ କରାଯିବ । ବର୍ତ୍ତମାନ ରାଜ୍ୟରେ ୪୦,୩୮୦ଟି ପାଣି ପଞ୍ଚାୟତ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳ ପରିଚାଳନା କରୁଛନ୍ତି ।

ପାଣି ପଞ୍ଚାୟତ ଆଇନରେ ସଂଶୋଧନ କରି ମହିଳା ଓ ମତ୍ସ୍ୟଜୀବୀମାନଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି । ଜଳର ସଠିକ ବିନିଯୋଗ ପାଇଁ IoT ଆଧାରିତ ଡିଜିଟାଲ୍ ୱାଟର ମିଟର ଏବଂ ମୃତ୍ତିକା ଆର୍ଦ୍ରତା ମାପକ ଯନ୍ତ୍ରର ବ୍ୟବହାର କରାଯିବ । ଏଥିପାଇଁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (XIM) ସହ ଏମଓୟୁ (MoU) ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପାରମ୍ପରିକ ଚାଷ ପରିବର୍ତ୍ତେ ପନିପରିବା, ଫଳ ଏବଂ ଫୁଲ ଚାଷ ଭଳି ବିବିଧକରଣ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ସେମାନଙ୍କ ଆୟ ବୃଦ୍ଧି ପାଇବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ କହିଛନ୍ତି ଯେ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶକୁ ରପ୍ତାନି କରିବା ପାଇଁ ସରକାର ବଜାର ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)