ଅକ୍ଷର ବ୍ୟୁରୋ: ପୁଣି ଦେଖିବାକୁ ମିଳିଛି ଇସ୍କନର ଅଦିନିଆ ରଥଯାତ୍ରା । ଉତ୍ତରାଖଣ୍ଡ ରିଷିକେଷର ମଧୁବନ ଆଶ୍ରମରେ ଇସ୍କନ ତରଫରୁ ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ଆୟୋଜନ କରାଯାଇଥିଲା । ଚଳିତମାସ ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ମଧୁବନ ଆଶ୍ରମ ଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀଗୁରୁ ସିଂ ସଭା ରେଳୱ ରୋଡରେ ଏହି ଅଦିନିଆ ରଥଯାତ୍ରା ଶେଷ ହୋଇଛି । ବିଧି ପରମ୍ପରା ଭାଙ୍ଗି ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା କରୁଛି । ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଚାରିଚକିଆ ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗତମାସ ଅର୍ଥାତ ସେପ୍ଟେମ୍ବର ୬ ତାରିଖରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଇସ୍କନକୁ ପ୍ରଦାନ କରାଯାଇଥିଲା । ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତିଙ୍କ ଦ୍ଵାରା ଇସ୍କନକୁ ଚିଠି ଲେଖାଯାଇଥିଲା । ମାତ୍ର ଏକମାସ ପରେ ଇସ୍କନ ପୁନର୍ବାର ତାର ମନମାନି ଜାରି ରଖି ଚଳିତମାସ ୭ ତାରିଖରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା । ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅପମାନ ହୋଇଥିବା ବେଳେ ଏଥର ଇସ୍କନର ଅଦିନିଆ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସବୁରି ମହଲରୁ ଅନୁରୋଧ କରାଯାଇଛି ।












Leave a Reply