କନେଷ୍ଟବଳ ଶୁଭମିତ୍ରା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ; ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର ଲୋକେ ।

ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ । ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିସନରେଟ ପୁଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ । କ୍ୟାପିଟାଲ ଥାନା ପୁଲିସ, ଖୁଣ୍ଟୁଣି ଥାନା ପୁଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ହେବ ଖୋଳତାଡ଼। କ୍ରାଇମବ୍ରାଞ୍ଚ ସୂତ୍ରରୁ ଏହି ସୂଚନା ମିଳିଛି । ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ମିସିଂ,୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ହେବ।

ତେବେ ପ୍ରଥମ ପତ୍ନୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ବୀମା ଟଙ୍କା ହାତେଇବା ପାଇଁ ତାଙ୍କୁ ମଧ୍ୟ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ୨୦୧୮ ଏପ୍ରିଲ୍‌ ୨୫ରେ ଦୀପକ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ପ୍ରେମବିବାହ କରିଥିଲା । ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ଭାବେ ଚାକିରି କରୁଥିଲେ । ୨୦୨୨  ମାର୍ଚ୍ଚ ୧୭ରେ ସଡ଼କ ଦୁର୍ଘଟଣାରେ ତା‌ଙ୍କ ମୃତ୍ୟୁ ଘଟିଥିବା ଦୀପକ କହିଥିଲା ।

ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ନେଇ ଦୀପକ ଏକ କାହାଣୀ ରଚିଥିଲା ବୋଲି ଏବେ ଅପର୍ଣ୍ଣାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଓଡି-୦୨-ଏସ୍‌-୩୪୮୬ ନମ୍ବର ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଦୀପକ ଷଡ୍‌ଯନ୍ତ୍ର କରି ଅପର୍ଣ୍ଣାଙ୍କୁ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଅପର୍ଣ୍ଣାଙ୍କ ପରିବାର ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)