ଅକ୍ଷର ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ମଲ୍ଲକା ଉପସାଗର ମଧ୍ୟଭାଗ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହେବ । ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବ । ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ୨୭ ତାରିଖ ପର୍ଯ୍ୟନ୍ତ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରିବା ସହ ଘନୀଭୂତ ହେବ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ୨୭ ତାରିଖରେ ସ୍ପଷ୍ଟ ହେବ । କିନ୍ତୁ ଅବପାତରେ ପରିଣତ ହେବା ପରେ ୨ରୁ ୩ଦିନ ଆହୁରି ଘନୀଭୂତ ହେବା ସମ୍ଭାବନା ଥିବାରୁ ଏହା ଶକ୍ତିଶାଳୀ ହେବା ଆଶଙ୍କା ରହିଛି । ବିଭିନ୍ନ ପାଣିପାଗ ମଡେଲରେ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରିଛନ୍ତି ।
ଶ୍ରୀଲଙ୍କା ନିକଟରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଗକୁ ଏହି ଦୁଇ ସିଷ୍ଟମର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ECMWF ମଡେଲ ଅନୁଯାୟୀ, ଶ୍ରୀଲଙ୍କା ନିକଟରେ ଥିବା ଘୂର୍ଣ୍ଣିବଳୟ ଆଗକୁ ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ। ଏହା ଘନୀଭୂତ ହେଲେ ଏହାର ପ୍ରଭାବ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବ । କିନ୍ତୁ ମଲ୍ଲକା ଷ୍ଟ୍ରେଟ ନିକଟରେ ସକ୍ରିୟ ଲଘୁଚାପ ବାତ୍ୟାରେ ପରିଣତ ହେଲେ ଏହାର ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶରୁ ବର୍ମା ପର୍ଯ୍ୟନ୍ତ ପଡ଼ିପାରେ । କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ଏହା ରିକର୍ଭ କରିବା ସମ୍ଭାବନା ରହିଛି । GFS ମଡେଲ ଅନୁଯାୟୀ, ଶ୍ରୀଲଙ୍କା ନିକଟ ସିଷ୍ଟମ ଅଧିକ ଘନୀଭୂତ ହେବାର ସମ୍ଭାବନା କମ । କିନ୍ତୁ ମଲାକ୍କା ଷ୍ଟ୍ରେଟ ନିକଟ ସିଷ୍ଟମ ଉତ୍ତର ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ବର୍ମା ଉପରେ ପ୍ରଭାବ ପକାଇବା ସମ୍ଭାବନା ଅଧିକ ରହିଛି । ତେବେ ରାଜ୍ୟରେ ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ସେଥିପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ।












Leave a Reply