ଆଜିଠୁ ଖଣ୍ଡଗିରିରେ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ; ୭ଟି ପେଣ୍ଡାଲରେ ୧୫ଟି ଅପେରା ପାର୍ଟି କରିବେ ନାଟକ ପରିବେଷଣ ।

ଅକ୍ଷର ବ୍ୟୁରୋ: ଆରମ୍ଭ ହୋଇସାରିଛି ଖଣ୍ଡଗିରି ମେଳା । ଆଜିଠୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ । ଦୁଲୁକିବ ଖଣ୍ଡଗିରି । ସଂଳାପ ଭାଙ୍ଗିବ ରାତିର ନିରବତା । ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖାଇବେ ଜଲୱା । ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ୨୭ରୁ ୭ ତାରିଖ ଯାଏ ଚାଲିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି ନାଟକ ପରିବେଷଣ କରିବେ ।

ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ଏବର୍ଷ ଡ଼ଃ ହରେକୃଷ୍ଣ ମହତାବ ସାସ୍କୃତିକ ପରିଷଦ, ଆଇଗିଣିଆ ମଞ୍ଚରେ ଅପେରା ‘ଅଶାେକ ସମ୍ରାଟ’ ପ୍ରଥମେ ମଇଦାନକୁ ଓହ୍ଲାଉଛି । ପାର୍ଟି ତା’ର ବହୁ ଚର୍ଚ୍ଚିତ ନାଟକ ‘ଅଧା ରହିଗଲା ଆମ କାହାଣୀ’ ମଞ୍ଚସ୍ଥ କରିବ । ଏଥିରେ ଅଭିନେତା ମିଲନ, ସିନେ ଅଭିନେତା ଅଙ୍କିତ, ଖଳନାୟକ ମନୋଜ, କମେଡିଆନ ଗଣେଶ, ଅଭିନେତ୍ରୀ ସାରା ଓ ଖଳନାୟିକା ସରୋଜିନୀ ଭଳି କଳାକାର ଅଭିନୟ କରୁଛନ୍ତି । ସନାତନ ସେବା ସମିତି, ଘାଟିକିଆ ମଞ୍ଚରେ ପ୍ରଥମେ ମଇଦାନକୁ ଓହ୍ଲାଉଛି ‘କୋଣାର୍କ ଗଣନାଟ୍ୟ’ । ପାର୍ଟି ତା’ର ଚର୍ଚ୍ଚିତ ନାଟକ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ମଞ୍ଚସ୍ଥ କରିବ । ଏଥିରେ ଭେଟେରାନ ଅଭିନେତା ଦୈତାରୀ ପଣ୍ଡା, ମିଟୁନା, ନଳିନୀ ପ୍ରମୁଖ ଅଭିନୟ କରିଛନ୍ତି । ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ମଞ୍ଚରେ ଯାତ୍ରା ସିଂହବାହିନୀ ବହୁ ଚର୍ଚ୍ଚିତ ନାଟକ ‘ତୁ ମୋ ବଜରଙ୍ଗୀ’ ପରିବେଷଣ କରିବ । ଏଥିରେ ଅଭିନେତା ପୀୟୁଷ, କ୍ଷୀତିଶ, ସ୍ୱିଟି, ବବଲୁ ପ୍ରମୁଖ ଅଭିନୟ କରିଛନ୍ତି ।

ଶେଷରେ ଅନନ୍ତ କେଶରୀ ଦେବ ସାଂସ୍କୃତିକ ଯୁବ ପରିଷଦ, ଖଣ୍ଡଗିରି ମଞ୍ଚରେ ଧଉଳି ପକ୍ଷରୁ ନାଟକ ‘ଚଣ୍ଡାଶୋକ’ ପରିବେଷଣ କରାଯିବ । ଏଥିରେ ଅଭିନେତା ରୁଦ୍ର, ସ୍ମରଣିକା, ଲକ୍ଷ୍ମୀଧର, ଆକାଶ ପ୍ରମୁଖ ଅଭିନୟ କରିବେ । ମା ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ମଞ୍ଚରେ ୨୯ ତାରିଖରୁ ଯାତ୍ରା ‘ସ୍ୱର୍ଣ୍ଣ ମହଲ’ ପକ୍ଷରୁ ନାଟକ ପରିବେଷଣ ହେବ । ଯାହାର ନାଁ ଓ ଟାଇଟଲ ଏପର୍ଯ୍ୟନ୍ତ ରିଲିଜ ହୋଇନି । ସ୍ୱର୍ଣ୍ଣ ମହଲରେ ବରିଷ୍ଠ ଅଭିନେତା ସୁବାଷ ବେହେରା ରହିଛନ୍ତି । ତେଣୁ ତାଙ୍କ ଅଭିନୟ ଦେଖିବାକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଜୟ ଦୁର୍ଗା ସାଂସ୍କୃତିକ ପରିଷଦ, ଜାଗମରା ମଞ୍ଚରେ ୨୯ ତାରିଖରୁ ଅପେରା ଶ୍ରୀମନ୍ଦିର ମଞ୍ଚସ୍ଥ କରିବ ‘ଜାନୱର’, ଏଥିରେ ଅଭିନେତା କାହ୍ନା ସ୍ୱାଇଁ, ଟିକି ରହିଛନ୍ତି । କଳିଙ୍ଗ ସାଂସ୍କୃତିକ ପରିଷଦ, ଜାଗମରା ମଞ୍ଚରେ ୩୦ ତାରିଖରୁ ଯାତ୍ରା ‘ଇନ୍ଦ୍ରଭୁବନ’ ନାଟକ ପରିବେଷଣ କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)