ଅକ୍ଷର ବ୍ୟୁରୋ: ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଖାତାଦେଖା । ରାଜ୍ୟର ୩୦ଟି ଜିଲ୍ଲାର ୫୧ଟି କେନ୍ଦ୍ରରେ ହେବ ମାଟ୍ରିକ ଖାତା ଦେଖା । ଖାତା ଦେଖା ପାଇଁ ଏହି ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଜିଲ୍ଲା ଶିକ୍ଷାଧିକାରୀମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ମୂଲ୍ୟାୟନ ପାଇଁ ବିଭିନ୍ନ ବିଷୟର ପ୍ରାୟ ୧୫ ହଜାର ବରିଷ୍ଠ ସଵଜେକ୍ଟ ଏକ୍ସପର୍ଟଙ୍କୁ ନିୟୋଜିତ କରିଛି ବୋର୍ଡ । ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା । ରାଜ୍ୟର ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।
ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ । ଖାତା ଦେଖା ପାଇଁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କିଛି ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ସେମାନେ ମେଡ଼ିକାଲ ସାର୍ଟିଫିକେଟ ସହିତ ବୋର୍ଡକୁ ଆବେଦନ କଲେ ଖାତା ଦେଖାରୁ ବିରତ ରହି ପାରିବେ ବୋଲି ବୋର୍ଡ ସୂଚନା ଦେଇଛି । ଯେଉଁମାନେ ଚିଠି ପାଇ ଖାତା ଦେଖାରେ ଯୋଗ ଦେବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋର୍ଡ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ଏକ୍ସପର୍ଟ ଅନୁସାରେ ନିଜ ଅଞ୍ଚଳରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ତେଣୁ ଖାତା ଦେଖାରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ସଠିକ ଭାବେ ଖାତା ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ ।












Leave a Reply