ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖା; ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ଖାତା ଦେଖିବେ ପ୍ରାୟ ୧୫ ହଜାର ଶିକ୍ଷକ ।

ଅକ୍ଷର ବ୍ୟୁରୋ: ଆସନ୍ତା ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ । ଅର୍ଥାତ ଆସନ୍ତାକାଲିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା । ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ । ଏଥିପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ବୁଧବାର ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି । ମୂଲ୍ୟାୟନ ପୂର୍ବରୁ ଅର୍ଥାତ୍‌ ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୦ଟା ସୁଦ୍ଧା କେନ୍ଦ୍ରରେ ପହଞ୍ଚିବେ । କ୍ୟାମ୍ପ ଅଧିକାରୀ ଓ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି । ସେହିଭଳି ମୂଲ୍ୟାୟନ କେନ୍ଦ୍ରରେ ମୌଳିକ ସୁବିଧା ସହ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଚଳିତବର୍ଷ ରାଜ୍ୟର ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ । ଏଥିପାଇଁ ବୋର୍ଡ ଦ୍ବାରା ମୋଟ ୩,୦୮୨ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଗତ ଫେବୃଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା । ପାଖାପାଖି ୧୨ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇ ବୋର୍ଡ ପକ୍ଷରୁ ଯୋଜନା ରହିଛି । ଏଥିନିମନ୍ତେ ଆସନ୍ତା ୧୯ ତାରିଖ ଅର୍ଥାତ ଗୁରୁବାର ଠାରୁ ସବ୍‌ଜେକ୍ଟିଭ ଉତ୍ତରଖାତା ମୂଲ୍ୟାୟନ କରାଯିବ । ହାତରେ ଆଉ ଗୋଟିଏ ଦିନ ଥିବାରୁ ବୋର୍ଡ ମୂଲ୍ୟାୟନକାରୀ ବା ପରୀକ୍ଷକ, ସୁପରଭାଇଜରଙ୍କ ସମେତ ନିୟୋଜିତ ପ୍ରତ୍ୟେକ ପଦାଧିକାରୀଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି ହୋଇଛି ।

ମୂଲ୍ୟାୟନ କେନ୍ଦ୍ରରେ ମୋବାଇଲକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଏସଓପି କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । କେନ୍ଦ୍ର ସୁପରଭାଇଜରଙ୍କୁ ଠାରୁ କ୍ୟାମ୍ପ ଅଧିକାରୀ ଗ୍ରହଣ କରିଥିବା ଉତ୍ତରଖାତା ପ୍ୟାକେଟର ତଥ୍ୟ ୧୮ ତାରିଖ ସୁଦ୍ଧା ଅନଲାଇନ୍‌ ସୁପରଭାଇଜରଙ୍କୁ ଜଣାଇବେ । ଖାତାଦେଖା ପାଇଁ ଜଣେ ମୁଖ୍ୟ ପରୀକ୍ଷକ, ଦୁଇ ଜଣ ଉପ ମୁଖ୍ୟ ପରୀକ୍ଷକ, ୨୦ରୁ ୨୪ ଜଣ ପରୀକ୍ଷକ, ୨ ଜଣେ ଲେଖାଏଁ ସ୍କୃଟିନାଇଜରଙ୍କୁ ନେଇ ଗୋଟିଏ ଲେଖାଏଁ ୟୁନିଟ ଗଠନ କରାଯାଇଛି । ପ୍ରତି ପରୀକ୍ଷକ ସବୁଦିନ ୩୦ରୁ ୪୦ଟି ଖାତାର ମୂଲ୍ୟାୟନ କରିବେ ବୋଲି ବୋର୍ଡ ପକ୍ଷରୁ ମାର୍ଗଦର୍ଶିକାରେ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)