ରାତି ପାହିଲେ ରଥଯାତ୍ରା । ଭାଇ, ଭଉଣୀଙ୍କ ସହ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବଡ଼ ଠାକୁର । ଆଜି ମହାପ୍ରଭୁଙ୍କ ନବଯୌବନ ରୂପ । ଦୀର୍ଘ ୧୫ ଦିନର ପ୍ରତୀକ୍ଷା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ । ଗତକାଲି ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ କରିବା ପରେ ଆଜି ନବଯୌବନ ବେଶରେ ଚକାଆଖିକୁ ଦେଖି ବିଭୋର ହେବେ ଭକ୍ତ ।
ଆଜି ନେତ୍ରୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ନୀତିନିର୍ଘଣ୍ଟ ଅନୁଯାୟୀ ସକାଳ ୮ଟାରୁ୯ଟା ଯାଏଁ ପରିମାଣିକ ଦର୍ଶନ ଅର୍ଥାତ ଟିକେଟ ଦେଖାଇ ଭକ୍ତମାନେ ଦର୍ଶନ କରିବା ସହ ସକାଳ ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ । ସର୍ବସାଧାରଣ ଦର୍ଶନ ଶେଷ ହେବାପରେ ମହାପ୍ରଭୁଙ୍କ ଆଉ ଦର୍ଶନ କରିପାରିବେନି ଭକ୍ତ । ପରେ ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଓ ସକାଳଧୂପ ପରେ ରଥ ଆଜ୍ଞାମାଳ ଅପରାହ୍ନ ୪.୧୦ରେ ବିଜେ ପରେ ରଥଖଳାରୁ ସିଂହଦ୍ଵାର ନିକଟକୁ ଟଣାହେବ ତିନିରଥ ।
ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ ।












Leave a Reply