ଦ୍ୱିତୀୟଥର ପାଇଁ ନୂଆପଡାରେ ମାରାଥନ୍‌ ପ୍ରଚାର କରିବେ ନବୀନ; ୩ଟାରେ ସାଧାରଣ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

ଅକ୍ଷର ବ୍ୟୁରୋ: ଦ୍ୱିତୀୟ ଥର ପାଇଁ ନୂଆପଡାରେ ମାରାଥନ୍‌ ପ୍ରଚାର କରିବେ ନବୀନ ପଟ୍ଟନାୟକ । ଗତ ୩ ତାରିଖରେ ନବୀନ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ଯାଇ ନୂଆପଡ଼ାର କୋମନା ବ୍ଲକରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍‌ ଦେବାକୁ କହିଥିଲେ । ଆଜି ମଧ୍ୟ ବିରୋଧୀ ଦଳ ନେତା ନବୀନଙ୍କର ନୂଆପଡ଼ାରେ ମାରାଥନ୍ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଏପଟେ ଜମୁଛି ନୂଆପଡାର ଉପନିର୍ବାଚନ ପ୍ରଚାର । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର ପରେ ଆଜି ଯିବେ ନବୀନ । ଆଜି ନବୀନଙ୍କର ରୋଡ ସୋ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେପଟେ ନବୀନଙ୍କ କାର୍ଯ୍ୟକ୍ରମ ଭଣ୍ଡୁର କରିବା ଅଭିଯୋଗ ଆଣିଲା ବିଜେଡି । ଏନେଇ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ରୋଡ ସୋକୁ ଭଣ୍ଡର କରିବାକୁ ଉଦ୍ୟମ କରାଯାଉଥିବା ବୋଲି ଅଭିଯୋଗ ଆଣିଛି ବିଜେଡି ।

ସୂଚନାନୁଯାୟୀ, ଭୁବନେଶ୍ୱରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନବୀନ ଦିନ ସାଢେ ୧୧ଟାରେ ଖରିଆରରୋଡ୍‌ ଥାନା ନିକଟରେ ଥିବା ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ରୋଡ୍‌ ସୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଯିବେ । ଏହି ଅବସରରେ ଖରିଆର ରୋଡ୍‌ର ଡାଗା ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମନିଆ ପେଟ୍ରୋଲ ପମ୍ପ ଛକରେ ଉପସ୍ଥିତ ଜନସାଧାରଣଙ୍କୁ ନବୀନ ଉଦ୍‌ବୋଧନ ଦେବେ । ପରେ ସେ ରୋଡ୍‌ ସୋ’ରେ ନୂଆପଡ଼ା ଏନ୍‌ଏସିରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍‌ବୋଧନ ଦେବେ । ଅପରାହ୍ନ ୩ଟାରେ ନୂଆପଡ଼ାର ପାରକୋଡ୍‌ରେ ସାଧାରଣ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ନବୀନ ବାବୁଙ୍କୁ ଦେଖିବା ପାଇଁ ଏସବୁ ସ୍ଥାନରେ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ବିଜେପି ସରକାରକୁ ନୂଆପଡ଼ା ଉପନିର୍ବାଚନରେ ଲୋକେ ଉଚିତ ଶିକ୍ଷା ଦେବାକୁ ମନସ୍ଥ କରି ସାରିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)