ଆଉ ନାହାଁନ୍ତି ଓଡିଶାର ସ୍ୱର ହ୍ୟୁମାନ ସାଗର; ୧୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ଏହି ତାରକା ।

ଅକ୍ଷର ବ୍ୟୁରୋ: ୧୭ ନଭେମ୍ବର ୨୦୦୨ । ସେହି ଦିନ ଆଖି ବୁଜିଥିଲେ ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି । ଠିକ୍ ସେଭଳି ଦିନରେ ଆଖି ବୁଜିଲେ ଆଉ ଜଣେ ସଙ୍ଗୀତ ଜଗତର ବାଦଶାହ ତଥା ଓଡିଶାର ସ୍ୱର ହ୍ୟୁମାନ ସାଗର । ଗତ ଦଶନ୍ଧି ଧରି ସେ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ଶୀର୍ଷସ୍ଥାନର ତାରକା କଣ୍ଠଶିଳ୍ପୀ । ୨୦୧୫ରୁ ୨୦୨୫ ମଧ୍ୟରେ ମାତ୍ର ୧୦ବର୍ଷ ଭିତରେ ସେ ଯେଉଁଭଳି ଲୋକପ୍ରିୟତା ହାସଲ କରିଥିଲେ, ତାହା କ୍ୱଚିତ ଦେଖିବାକୁ ମିଳେ । ୨୦୧୨ରେ ଆୟୋଜିତ ରିଆଲିଟି ସୋ ‘ଭଏସ୍‌ ଅଫ୍‌ ଓଡ଼ିଶା ସିଜନ୍‌-୨’ ର ବିଜେତା ହୋଇ ସେ ଲୋକଲୋଚନକୁ ଆସିଥିଲେ । ୨୦୧୪ରେ ସିନେମା ଜଗତରେ ପ୍ରବେଶ କରିଥିଲେ । ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ସିନେମା-ସମଥିଙ୍ଗ ସମଥିଙ୍ଗ-୨ ପାଇଁ ଗୀତ ଗାଇ ସେ ଓଡ଼ିଆ ସଙ୍ଗୀତ ଦୁନିଆରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଥିଲେ । ଏବଂ ଅନୁଭବ ମହାନ୍ତିଙ୍କ ସିନେମା ଚାରିଧାମ ୨୦୨୫ ପାଇଁ ମଧ୍ୟ ସେ ଗୀତ ଗାଇଥିଲେ । ଯାହାଥିଲା ତାଙ୍କ ଜୀବନର ଶେଷ ଗୀତ ।

୨୫ନଭେମ୍ବର ୧୯୯୦ରେ ହ୍ୟୁମାନ୍‌ ଜନ୍ମ ଗ୍ରହଣ କରିଥିଲେ । ପ୍ରାୟ ୧୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ହ୍ୟୁମାନ୍ । ଏପଟେ ହ୍ୟୁମାନ ସାଗରଙ୍କୁ ମାରି ଦିଆଯାଇଛି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ତାଙ୍କ ମାଆ ଶେଫାଳି ସୁନା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅର୍ପିତା ଚୌଧୁରୀ ଏବଂ ପପୁ ପ୍ରଶାନ୍ତଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ମୋ ପୁଅର ମୃତ୍ୟୁ ପାଇଁ ଏହି ଦୁଇଜଣ ହିଁ ଦାୟୀ । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି । ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍‌ସରେ ଭିଡ଼ ଲଗାଇଥିଲେ। ପୁରା ଏମ୍‌ସ ପରିସର ସ୍ତମ୍ଭୀଭୂତ ହୋଇଯାଇଥିଲା । କାହା ମୁହଁରେ ଯେମିତି କିଛି କହିବାକୁ ଭାଷା ନଥିଲା । ରାତି ୯ଟା ୮ ମିନିଟରେ ପରଲୋକ ହେବା ପରେ ପ୍ରାୟ ସାଢେ ୧୧ଟା ବେଳକୁ ଏମ୍‌ସରୁ କଟକ ବାସଭବନ ଅଭିମୁଖେ ଯାଇଥିଲା ମୃତଦେହ । କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ହ୍ୟୁମାନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଏବଂ ଓଲିଉଡ୍ ଜଗତର ଜଣାଶୁଣା କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ମାନେ ଶେଷ ଦର୍ଶନ କରିଥିଲେ । ହ୍ୟୁମାନଙ୍କ କୁନି ଝିଅ ମଧ୍ୟ ଶେଷ ଦର୍ଶନ କରିଛନ୍ତି । ଏହି ସମୟରେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)