ବନ୍ୟା ବିପଦର ସଂକେତ ତଳେ ରାଜ୍ୟର ସବୁ ନଦୀର ଜଳସ୍ତର ।

ରାଜ୍ୟକୁ ବନ୍ୟା ବିପଦ ନାହିଁ । ବିପଦ ସଂକେତ ତଳେ ରାଜ୍ୟର ସବୁ ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା । ବିପଦସଙ୍କେତ ତଳେ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ । ରାଜଘାଟଠାରେ ୮୦ ସେ.ମି ତଳେ ରହିଛି ଜଳସ୍ତର । ଭୋଗରାଇ ଓ ବାଲିଆପାଳ ଅଞ୍ଚଳରୁ ଧୀରେ ଧୀରେ କମୁଛି ପାଣି । ସୁବର୍ଣ୍ଣରେଖାର ବନ୍ୟା ପ୍ରକୋପ କମୁଥିବା ବେଳେ ତଳିଆ ଅଞ୍ଚଳରେ ଦୁର୍ଦ୍ଦଶା ବଢ଼ୁଛି । ନଦୀର ଜଳସ୍ତର କମି ରାଜଘାଟ ଠାରେ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି । ଗତକାଲି ଦିନ ତମାମ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆଜି ରାତି ୮ଟା ସୁଦ୍ଧା ୯.୫୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି ।

ଏବେ ବି ସୁବର୍ଣ୍ଣରେଖା ନଦୀ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆସନ୍ତାକାଲି ସୁଦ୍ଧା ନଦୀର ବନ୍ୟା ପ୍ରକୋପ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ଜଳସମ୍ପଦ ବିଭାଗ ଜଳେଶ୍ୱର ଉପଖଣ୍ଡ ଯନ୍ତ୍ରୀ ପ୍ରିୟବ୍ରତ ସିଂହ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ, ବନ୍ୟାରେ ଉତ୍ତର ବାଲେଶ୍ୱରର ୪ ବ୍ଲକ୍‌ରୁ ଭୋଗରାଇ ଓ ବାଲିଆପାଳରେ ବିଶେ‌ଷ ଭାବେ କ୍ଷତି ହୋଇଛି। ବାଲିଆପାଳ ବ୍ଲକ୍‌ର ୧୦ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ଭୋଗରାଇ ବ୍ଲକର ୮ ପଞ୍ଚାୟତର ୪୦ରୁ ଅଧିକ ଗାଁର ପ୍ରଭାବିତ ହୋଇଛି । ବନ୍ୟା ପାଣି ଧୀରେଧୀରେ କମୁଥିବା ବେଳେ ଦୁର୍ଦ୍ଦଶା ବଢ଼ୁଛି। ଅନେକ ଗ୍ରାମରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି । ବାଲିଆପାଳ ବ୍ଲକର କୁଦମାନସିଂ, ଆଠବାଟିଆ, ରାଉତରାପୁର, ତଳବାଲିଆପାଳ, ଶୁଙ୍ଘମୁହଁ, ବିଷ୍ଣୁପୁର, ଇକଡ଼ପାଳ, ‌ଚୌଧୁରୀକୁଦ, କୁହ୍ଲାଚଡ଼, ବଡ଼ତାଳପଦା, ପାଳଜାମକୁଣ୍ଡା ପ୍ରଭୃତି ଗ୍ରାମ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି।

ବନ୍ୟା ଯୋଗୁଁ ଗତ ୨ ଦିନ ହେଲା ଦୁଇ ବ୍ଲକର ଅନେକ ଲୋକଙ୍କ ଘରେ ଚୁଲି ଜଳି ନଥିବା ବେଳେ ବିପନ୍ନ ଭୋକ ଉପାସରେ ଦିନ କାଟୁଛନ୍ତି । ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ନଳକୂପଗୁଡ଼ିକ ପାଣିରେ ବୁଡ଼ି ରହିଥିବାରୁ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସବୁ ଲୋକେ ଟ୍ୟାଙ୍କର ପାଣି ପାଉନଥିବା ଅଭିଯୋଗ କରିଛନ୍ତି । ବନ୍ୟା ଘେରରେ ଥିବା ଗ୍ରାମବାସୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନଳକୂପ ଏବଂ ଗ୍ରାମଗୁଡ଼ିକ ବିଶୋଧନ ପାଇଁ ଦାବି ହୋଇଛି । ବନ୍ୟା ଯୋଗୁଁ ଗୃହପାଳିତ ପଶୁ ପଦାକୁ ବାହାରି ନ ପାରି ଭୋକରେ ଆଉଟୁପାଉଟୁ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଖରେ ରିଲିଫ୍‌ ପହଞ୍ଚି ନଥିବା ବେଳେ ଗୃହପାଳିତ ପଶୁଙ୍କ ଖାଦ୍ୟ ପହଞ୍ଚି ନ ପାରିବା ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି । ସେହିପରି ୪ ବ୍ଲକର ହଜାର ହଜାର ଏକର ଜମିର ପରିବା ଚାଷ ପାଣିରେ ବୁଡ଼ି ରହି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)