ଗିରଫ ହେଲେ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।

ଅକ୍ଷର ବ୍ୟୁରୋ: OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ଘର ସହ ଏକକାଳନୀ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଙ୍କର ଜମି କିଣିବା ନିଶା ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ବାବୁଙ୍କର ଖୋର୍ଦ୍ଧା ଜଟଣି, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଛି । ୨ଟି ବହୁ ମହଲା କୋଠା, ଭୁବନେଶ୍ୱରର କଳିଙ୍ଗ ବିହାରରେ ଏକ ଫ୍ଲାଟ୍ ଠାବ ହୋଇଛି । ତାଙ୍କ ଘରୁ ୧ କିଲୋ ୧୪୦ ଗ୍ରାମ୍ ସୁନା ମିଳିଛି । ଯେଉଁଥିରେ ୬ଟି ସୁନା ମୁଦ୍ରା ଏବଂ ୨ଟି ସୁନା ବିସ୍କୁଟ୍ ରହିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଭିଜିଲାନ୍ସ ଏସପି ପି.କେ ଦ୍ଵିବେଦୀ ।

ସୂଚନାନୁଯାୟୀ, ମଙ୍ଗଳବାର ଓଡ଼ିଶା ପୁଲିସ୍‌ ଗୃହନର୍ମାଣ ଓ କଲ୍ୟାଣ ନିଗମ (ଓପିଏଚ୍‌ଡବ୍ଲୁସି) ସମ୍ବଲପୁର ଡିଭିଜନରେ କାର୍ଯ୍ୟରତ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ଘରକୁ ଯାଉଥିଲେ । ଖବର ପାଇ ଭିଜିଲାନ୍ସ ଟିମ୍‌ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ତାଙ୍କୁ କାବୁ କରିଥିଲା । ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୫ ଲକ୍ଷ ୧୮ ହଜାର ୯୦୦ ଟଙ୍କା ନଗଦ ଅର୍ଥ ଜବତ କରିଥିଲା । ସମ୍ବଲପୁରରେ ଟଙ୍କା ମିଳିବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଓପିଏଚ୍‌ଡବ୍ଲ୍ୟୁସି କଲୋନୀ ବାସଭବନରେ ଚଢ଼ଉ କରିଥିଲା । ସେଠାରୁ ମଧ୍ୟ ଅତିରିକ୍ତ ୫ ଲକ୍ଷ ୪୧ ହଜାର ୭୦୦ ଟଙ୍କା ମିଳିଥିଲା ।

ପରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ତାଙ୍କ ଭଉଣୀଙ୍କ ଘରେ ଚଢ଼ଉ କରି ଟଙ୍କା ଭର୍ତ୍ତି ଥିବା ୨ଟି ବଡ଼ ଟ୍ରଙ୍କ ପାଇଥିଲା । ଯେଉଁଥିରେ ପ୍ରାୟ ୭୦ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍‌ ଲୁଚାଇ ରଖାଯାଇଥିଲା । ଜବତ ହୋଇଥିବା ବିପୁଳ ପରିମାଣର ଟଙ୍କା ଗଣିବା ପାଇଁ କ୍ୟାସ କାଉଣ୍ଟିଂ ମେସିନ ନିୟୋଜିତ କରାଯାଇଥିଲା । ତାଙ୍କ ଭଉଣୀ ଘରୁ ୩୪ ଲକ୍ଷ ୮୧ ହଜାର ଟଙ୍କା ମିଳିଥିଲା । ଭିଜିଲାନ୍ସ ସମ୍ବଲପୁର, ଭୁବନେଶ୍ୱର, ଗଞ୍ଜାମ ଓ ଭଞ୍ଜନଗର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା । ଡେପୁଟି ମ୍ୟାନେଜରଙ୍କ ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଥିଲା । ଏହା ସହ ତାଙ୍କ ଘରୁ ୧ କେଜି ୧୪୦ ଗ୍ରାମ ସୁନା ମିଳିଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)