ରାଜଧାନୀରେ ପୁଣି ଜୀବନ ନେଲା ଆମ ବସ୍; ଅଟୋ ପଛରୁ ଧକ୍କା ଦେଇ ଡ୍ରାଇଭର ଚମ୍ପଟ ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ଜୀବନ ନେଲା ଆମ ବସ୍ । ସହିଦ ନଗର ରୂପାଲି ଛକରେ ଅଟୋକୁ ପିଟିଲା ଦ୍ରୁତଗତିରେ ଯାଉଥିବା ଆମ ବସ୍ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି । ଯାହା ପରେ ଘଟଣାସ୍ଥଳରେ ଡିସିପି ଜଗମୋହନ ମୀନା ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ୍ କରିଥିବା ବେଳେ ଡିସିପି ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଛି ।

ସୂଚନା ଅନୁଯାୟୀ, ରୂପାଲି ଛକ ଟ୍ରାଫିକରେ ଗୋଟିଏ ଶିକ୍ଷାନୁଷ୍ଠାନର ବସ୍ ଠିଆ ହୋଇରହିଥିଲା । ତାପଛକୁ ଥିଲା ଅଟୋ । ଅଟୋରେ ଜଣେ ମହିଳା ଯାତ୍ରୀଙ୍କ ସହ ଡ୍ରାଇଭର ଥିଲେ । ଏହି ସମୟରେ ଆମ ବସ୍ ଦ୍ରୁତଗତିରେ ଆସି ଅଟୋ ପଛରୁ ଧକ୍କା ଦେଇଥିଲା । ଅଟୋଟି ସାମ୍ନାରେ ଥିବା ବସ୍ ମଧ୍ୟରେ ଚାପି ହୋଇଯାଇଥିଲା । ଯାହାଫଳରେ ଅଟୋରେ ଥିବା ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ବସ୍ ଡ୍ରାଇଭରଙ୍କ ବେପାରୁଆ ଡ୍ରାଇଭିଂ ଯୋଗୁଁ ଅଟୋଟି ସମ୍ପୂର୍ଣ୍ଣ ଚୂନା ହୋଇଯାଇଛି । ତେବେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଜଣକ ଦୁର୍ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି । ଏହାକୁ ନେଇ ରୂପାଲି ଛକରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଡିସିପିଙ୍କ ସହ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)