ଅକ୍ଷର ବ୍ୟୁରୋ: ଆସନ୍ତା ୨୬ ତାରିଖ ଅର୍ଥାତ୍ ଆଉ ମାତ୍ର ୩ ଦିନ ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ୪୫ ଫୁଟ ଉଚ୍ଚତା ଓ ୨୭ ଫୁଟ ଓସାରର ରଥ ତିଆରି କାମରେ ଲାଗିଛନ୍ତି ୬୧ ଜଣ କାରିଗର । ୨୫ ତାରିଖ ସନ୍ଧ୍ୟା ଅର୍ଥାତ୍ ନେତ୍ରୋତ୍ସବ ପୂର୍ବରୁ ସରିବ ରଥ କାମ । ହାତରେ ଆଉ ୨ ଦିନ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ସାରିବାକୁ କାରିଗର ମାନେ ଲାଗିପଡ଼ିଛନ୍ତି । ଅଣଲେଉଟା ରୁକୁଣା ରଥରେ ଚଢ଼ି ପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀ ମା’ ଘର । ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ରାମଚନ୍ଦ୍ର ରାବଣଙ୍କୁ ହତ୍ୟା କରି ମା’ ସୀତାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା । କାରଣ ରାବଣ ବ୍ରାହ୍ମଣ ଥିଲେ । ଏହି ପାପରୁ ମୁକ୍ତି ପାଇବା ପାଇଁ ଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏକାମ୍ର କ୍ଷେତ୍ରକୁ ଆସି ଲିଙ୍ଗରାଜଙ୍କୁ ପ୍ରତିଦିନ ପୂଜାର୍ଚ୍ଚନା କରିଥିଲେ । ଏଥିରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହେବା ପରେ ତାଙ୍କୁ ରାମଚନ୍ଦ୍ର ବର ମାଗିଥିଲେ । ସେହି ବର ଅନୁସାରେ ମହାପ୍ରଭୁ ଲିଙ୍ଗରାଜ ଅଷ୍ଟମୀ ତିଥିରେ ରାମେଶ୍ୱର ମନ୍ଦିରକୁ ଯାତ୍ରା କରନ୍ତି । ଆଉ ଏକ କିମ୍ବଦନ୍ତୀ ଅନୁସାରେ ମା’ ଭୁବନେଶ୍ୱରୀ ଏହି ଦିନ ରଥରେ ପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବାକୁ ଯାତ୍ରା କରିଥାନ୍ତି ।
ଆସନ୍ତା ୨୬ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା; ନେତ୍ରୋତ୍ସବ ପୂର୍ବରୁ ସରିବ ରଥ କାମ ।












Leave a Reply