ବିଧାନସଭା ଶୂନ୍ୟ କାଳରେ SCB ଅଗ୍ନିକାଣ୍ଡ ଘଟଣା; ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ ।

ଅକ୍ଷର ବ୍ୟୁରୋ: ବିଧାନସଭାର ଶୂନ୍ୟ କାଳରେ ଉଠିଛି SCB ଅଗ୍ନିକାଣ୍ଡ ଘଟଣା । ଏହି ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ନୈତିକ ଆଧାରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ । ଅନ୍ୟପକ୍ଷେ ଗୃହରେ ବିବୃତି ରଖିବା ସହ ଘଟଣାରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ରଖିଛନ୍ତି ମୁକେଶ ମହାଲିଙ୍ଗ । ତଥାପି ବିରୋଧୀଙ୍କ ବିରୋଧ ଯୋଗୁଁ ଗୃହ କାର୍ଯ୍ୟ ଚାଲି ପାରିନାହିଁ । ଫଳରେ ଅପରାହ୍ନ ୪ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ‘ମୁଁ ଭାରାକ୍ରାନ୍ତ ହୃଦୟରେ ଏଠାରେ ଠିଆ ହୋଇ ବିବୃତି ରଖୁଛି । ଗତକାଲି ମୁଁ କଟକର SCB ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲି । ମୁଁ ଯାହା ଦେଖିଲି ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ ନୁହେଁ । ବରଂ ଆମ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଭୁଶୁଡ଼ି ପଡ଼ୁଥିବା ସୁରକ୍ଷା ମାନଦଣ୍ଡର ଏକ ସ୍ପଷ୍ଟ ଚିତ୍ର । ସୋମବାର ସକାଳେ ଟ୍ରମା କେୟାର ICUରେ ଘଟିଥିବା ଅଗ୍ନିକାଣ୍ଡ ୧୩ ମୂଲ୍ୟବାନ ଜୀବନ ନେଇଛି । ଏମାନେ ରୋଗୀ ଥିଲେ ଯେଉଁମାନେ ସୁସ୍ଥ ହେବାର ଆଶା ନେଇ ହସ୍ପିଟାଲକୁ ଆସିଥିଲେ । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଛି ।’

ନବୀନ ଆହୁରି ମଧ୍ୟ କହିଛନ୍ତି, ‘ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ରହିଛି । ତଦନ୍ତ ଆଳ କରି ସ୍ୱାସ୍ଥ୍ୟ ବିଭାଗ ଲୁଚି ରହିପାରିବ ନାହିଁ । ନ୍ୟାୟିକ ତଦନ୍ତ ସ୍ୱାଗତଯୋଗ୍ୟ । କିନ୍ତୁ ରାଜନୈତିକ ନେତୃତ୍ୱକୁ ଦାୟିତ୍ୱରୁ ମୁକ୍ତ କରୁନାହିଁ । ତେଣୁ ମୁଁ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଦାବି କରୁଛି । ସୁରକ୍ଷା ତଦାରଖରେ ଏହି ଭୟଙ୍କର ତ୍ରୁଟି ପାଇଁ ତାଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡିବ । ଏହା ସହିତ ବର୍ତ୍ତମାନ ଘୋଷଣା କରାଯାଇଥିବା ଅନୁକମ୍ପା ରାଶି ପର୍ଯ୍ୟାପ୍ତ ନୁହେଁ । ପ୍ରତ୍ୟେକ ମୃତଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା ଦାବି କରୁଛି ।’

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ସମାନ ଦାବି ଦୋହରାଇଛନ୍ତି । ରାମଚନ୍ଦ୍ର କହିଛନ୍ତି, ‘SCB ପୋଡ଼ି ଓ ମୃତାହତ ଘଟଣା ଆମକୁ ବ୍ୟଥିତ କରିଛି । ଘଟଣା ଦୁଃଖଦାୟକ ଓ ଚିନ୍ତାଜନକ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦିଅନ୍ତୁ । ମୃତକଙ୍କ ପରିବାର ବର୍ଗକୁ ୫୦ ଲକ୍ଷ କ୍ଷତିପୂରଣ ଦେବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । ଯିଏ ବି ଘଟଣା ପାଇଁ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।’

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)