ଅକ୍ଷର ବ୍ୟୁରୋ: ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପୂର୍ବାନୁମାନ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ସମସ୍ତ ପରିଦର୍ଶକ ତଥା ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଆସନ୍ତା ବୁଧବାର ବନ୍ଦ ରହିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦିନକ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପରିଦର୍ଶକ କିମ୍ବା ପର୍ଯ୍ୟଟକଙ୍କର କୌଣସି ଯାନର ପ୍ରବେଶ କିମ୍ବା ପ୍ରସ୍ଥାନ ପାଇଁ ଅନୁମତି ଦିଆଯିବ ନାହିଁ । ପ୍ରକାଶ ଯେ, ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳ ପର୍ଯ୍ୟଟକଙ୍କ ଲାଗି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି । ଏଥିପାଇଁ ଚଳିତ ବର୍ଷ ଗତ ୧୮ ତାରିଖଠାରୁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଥିଲା ।
ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମଧ୍ୟ ଆଜି ପାଇଁ ବନ୍ଦ ରଖାଯାଇଛି । ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ସୂଚନା ଦେଇଥିଲେ । ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ହୋଇ ବଳ ଗୋଟାଇ ମଙ୍ଗଳବାର ଭୟଙ୍କର ବାତ୍ୟାର ରୂପନେଇ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ସେହି ଦୃଷ୍ଟିରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ କରାଯାଇଛି ।












Leave a Reply