ବିଷ ପାଲଟିଲାଣି ରାଜଧାନୀ ଭୁବନେଶ୍ୱରର ବାୟୁ !

ଅକ୍ଷର ବ୍ୟୁରୋ: ବିଷ ପାଲଟିଲାଣି ରାଜଧାନୀ ଭୁବନେଶ୍ୱରର ବାୟୁ । ଗତକାଲି ଅପରାହ୍ଣ ୨ଟା ୫୬ରେ ଖଣ୍ଡଗିରିରେ ବାୟୁ ଗୁଣବତ୍ତା ସୂଚକାଙ୍କ ମାନ ବା ଏକ୍ୟୁଆଇ-୩୬୬ରେ ପହଞ୍ଚିଥିଲା । ରିଜିଓନାଲ ପ୍ଲାଣ୍ଟ୍‌ ସେଣ୍ଟର୍‌ ଅଞ୍ଚଳରେ ୩୨୯, ଲିଙ୍ଗରାଜ ମନ୍ଦିର ନିକଟରେ ୩୪୮, ମାଷ୍ଟର୍‌କ୍ୟାଣ୍ଟିନ୍‌ ଛକରେ ୩୨୬, ରବୀନ୍ଦ୍ରମଣ୍ଡପ ଛକରେ ବାୟୁର ଏକ୍ୟୁଆଇ ୩୨୧ ରହିଥିଲା । ଅର୍ଥାତ୍‌ ଅପରାହ୍ଣ ବେଳକୁ ରାଜଧାନୀର ବାୟୁମଣ୍ଡଳରେ କେବଳ ବିଷ ହିଁ ଭରିରହିଥିଲା । ଯୁଆଡ଼େ ଚାହିଁଲେ ଖାଲି ଧୂଆଁ ଧୂଆଁ ପରିବେଶ ଦେଖିବାକୁ ମିଳୁଥିଲା । ଅତ୍ୟନ୍ତ ଖରାପ ସ୍ତର ଦେଇ ବାୟୁମଣ୍ଡଳ ଗତି କରୁଥିବାରୁ ବାହ୍ୟ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବାକୁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଥିଲା ।

ଏକ୍ୟୁଆଇ ସମ୍ପର୍କରେ ବିଭିନ୍ନ ଛକରେ ଲଗାଯାଇଥିବା ଡିଜିଟାଲ ବୋର୍ଡରେ ଏନେଇ ବାରମ୍ବାର ଉଲ୍ଲେଖ କରାଯିବାରୁ ସହରବାସୀ ଚିନ୍ତିତ ହୋଇପଡ଼ିଛନ୍ତି । ଦିନେ କି ଦୁଇଦିନ ନୁହେଁ, ବରଂ ଦୁଇ ସପ୍ତାହ ହେଲା ସହରର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିଲେ ମଧ୍ୟ ରୋକିବା ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ଥିତି ଉପରେ କୌଣସି ପ୍ରକାର ସମୀକ୍ଷା କରି ନାହିଁ କିମ୍ବା ସ୍ଥାନୀୟ ପ୍ରଶାସନ ସକ୍ରିୟ ହୋଇନାହାନ୍ତି । ବରଂ ସମସ୍ତେ ନିଜ ନିଜ ବାଟରେ ରହିବା ସହ ଲୋକଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)