ଆସନ୍ତା ୨୫ରେ ପବିତ୍ର ମାଘ ସପ୍ତମୀ ବୁଡ଼; ରାଜ୍ୟ ବାହାରୁ ଅର୍କକ୍ଷେତ୍ର କୋଣାର୍କକୁ ଆସିବେ ଲକ୍ଷାଧିକ ଶ୍ରଦ୍ଧାଳୁ ।

ଅକ୍ଷର ବ୍ୟୁରୋ: ଆସନ୍ତା ୨୫ରେ ପବିତ୍ର ମାଘ ସପ୍ତମୀ ବୁଡ଼ । ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଛୁଟି ଆସିବେ ଅର୍କକ୍ଷେତ୍ର କୋଣାର୍କକୁ । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି । ମେଳା ପଡ଼ିଆରେ ସଫେଇ, ପାଚେରି ରଙ୍ଗ, ବ୍ୟାରିକେଡ୍ ଓ ଦୁଇଟି ୱାଚ୍ ଟାୱାର ନିର୍ମାଣ ଆଦି ଚାଲିଛି । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ୨୫ ତାରିଖ ପ୍ରତ୍ୟୁଷରୁ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୨୪ ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୮ଟା ୧୦ରୁ ଶ୍ରୀ ତ୍ରିବେଣୀଶ୍ୱର, ଈଶାଣେଶ୍ୱର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିବେ । ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନ୍ଏସି ମଣ୍ଡପରେ ପୂଜାର୍ଚ୍ଚନା ପରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବେ ।

ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ସରିଲେ ୨୫ ତାରିଖ ସପ୍ତମୀ ତିଥିରେ ମାହେନ୍ଦ୍ର ବେଳା ୪ଟା ୪୧ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିବେ । ଭୋର୍ ୪ଟା ୪୧ରୁ ସାଧୁସନ୍ଥ ଓ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ସୁଯୋଗ ପାଇବେ । ଏହାକୁ ଦୃଷ୍ଟିରେ ରଖି ମେଳା ପଡ଼ିଆରେ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ବେଳାଭୂମିରେ ଦୁଇଟି ଦମକଳ ଗାଡ଼ି ମୁତୟନ, ଶନିବାର ସାରା ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ଶାନ୍ତିଶୃଙ୍ଖଳା ନିମନ୍ତେ କୋଣାର୍କ ଓ ଚନ୍ଦ୍ରଭାଗାରେ ୩୪ ପ୍ଲାଟୁନ ଫୋର୍ସ ନିୟୋଜିତ ରହିବେ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ୩ କିମି ଦୂରରେ ଯାତ୍ରୀବାହୀ ବସ୍ ପାର୍କିଂ ନିଷ୍ପତ୍ତି ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ଆଣିବ । ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ଜାନୁଆରୀ ୨୪ ତାରିଖ ଅପରାହ୍ଣ ୪ଟାରୁ ୨୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଯାନବାହନ କଟକଣା ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)