ନବୀକରଣ ହେବ ରାଜ୍ୟର ମୁଖ୍ୟ ପ୍ରାଶାସନିକ କେନ୍ଦ୍ର ‘ଲୋକସେବା ଭବନ’

ଅକ୍ଷର ବ୍ୟୁରୋ: ରାଜ୍ୟର ମୁଖ୍ୟ ପ୍ରାଶାସନିକ କେନ୍ଦ୍ର ‘ଲୋକସେବା ଭବନ’ ଖୁବଶୀଘ୍ର ଏକ ନୂଆ ରୂପରେ ନଜର ଆସିବ । ସମ୍ପୂର୍ଣ୍ଣ ଲୋକସେବା ଭବନର ପୁନଃବିନ୍ୟାସ କରାଯିବା ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇସାରିଛି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି ।

ଏହି ନବୀକରଣ ଯୋଜନାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଅତ୍ୟାଧୁନିକ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା । ଲୋକସେବା ଭବନ ପରିସରରେ ଗାଡ଼ି ପାର୍କିଂ ସମସ୍ୟାର ସମାଧାନ ପାଇଁ ବେସମେଣ୍ଟରେ ତଳକୁ ତଳ ତିନି ମହଲା ବିଶିଷ୍ଟ ସ୍ମାର୍ଟ ପାର୍କିଂ ନିର୍ମାଣ କରାଯିବ । ଏହି ପାର୍କିଂ ସ୍ଥଳରେ ଏକସଙ୍ଗେ ୫୭୩ଟି କାର୍ ରହିବା ଭଳି ବ୍ୟବସ୍ଥା କରାଯାଉଛି । ଏହାର ବିଶେଷତ୍ୱ ହେଉଛି, ଏଠାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରାଯିବ, ଯାହା ଗାଡ଼ିର ନମ୍ବର ପ୍ଲେଟ୍ ଏବଂ ଡ୍ରାଇଭରଙ୍କୁ ସହଜରେ ଚିହ୍ନଟ କରିପାରିବ ।

ଏହି ବିଶାଳ ପ୍ରକଳ୍ପ ପାଇଁ ସରକାର ପ୍ରାୟ ୧୦୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପୁନଃବିନ୍ୟାସ କାର୍ଯ୍ୟ ଆରମ୍ଭ ହେବ । ଏହି ପଦକ୍ଷେପ ଦ୍ୱାରା ଲୋକସେବା ଭବନର କାୟାକଳ୍ପ ବଦଳିବା ସହ ଏହା ଏକ ଅତ୍ୟାଧୁନିକ ଏବଂ ସୁରକ୍ଷିତ ପ୍ରାଶାସନିକ ପରିସର ଭାବେ ଉଭା ହେବ । ଗାଡ଼ି ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ସହ ସୁରକ୍ଷା ବ୍ୟବସ୍ଥାକୁ ଏହା ଆହୁରି ସୁଦୃଢ଼ କରିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)