ଗରମରୁ ସାମାନ୍ୟ ଆଶ୍ୱସ୍ତି; ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।

ଅକ୍ଷର ବ୍ୟୁରୋ: ଗରମରୁ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ୧୫ରୁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୧୫ରୁ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ଅଳ୍ପ କିଛି ସ୍ଥାନରେ କୁଆପଥର ବୃଷ୍ଟିର ସମ୍ଭାବନା ରହିଛି । ଏହି ସମୟରେ ଝଟକା ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଉପର ବାୟୁମଣ୍ଡଳରେ ବାୟୁ ପ୍ରବାହରେ ଅସଙ୍ଗତି ଏବଂ ଟ୍ରଫଲାଇନ ଅର୍ଥାତ୍‌ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବା ସମ୍ଭାବନା ଦେଖାଦେଇଛି । ମାର୍ଚ୍ଚ ମାସ ଅଧା ନ ହେଉଣୁ ଓଡ଼ିଶାରେ କଲବଲ କରୁଛି ଖରା ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୁରୁବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ପଶ୍ଚିମ ଓଡ଼ିଶାର ଶିଳ୍ପ ସହର ଝାରସୁଗୁଡ଼ା ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ସିଜନରେ ପ୍ରଥମ ଥର ପାଇଁ ରାଜ୍ୟର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି । ୪୦.୮ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି । ସେହିପରି ସମ୍ବଲପୁର ଓ ସୁନ୍ଦରଗଡ଼ରେ ପାରଦ ୩୯ ଡିଗ୍ରୀ ଛୁଇଁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ଏବଂ କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି । ରାଜ୍ୟର ପ୍ରାୟ ୨୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାରଦ ଆହୁରି ୨ ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)