ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ କିନ୍ନରଙ୍କୁ ଛୁରୀ ଭୁସି ହତ୍ୟା । ପିପିଲି ଥାନା ସିଫା ନିକଟରେ ଛିଡ଼ା ହୋଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ କିନ୍ନରଙ୍କ ନାଁ ଅଞ୍ଜଳି ବୋଲି ପ୍ରାଥମିକ ସ୍ତରରୁ ସୂଚନା ମିଳିଛି । ଘଟଣାସ୍ଥଳରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅନ୍ୟ କିନ୍ନର ସାଥୀମାନେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ କିଏ ଏବଂ କାହିଁକି ଏଭଳି ହତ୍ୟା କଲା, ତାହା ସ୍ପଷ୍ଟ ହୋଇନାହିଁ । ଘଟଣାରେ କିନ୍ନରମାନକୁ ପଚରାଉଚରା କରିବା ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ କିନ୍ନରଙ୍କ ମୋବାଇଲ ଜବତ କରିବା ସହିତ ସିଡିଆର୍ ଯାଞ୍ଚ କରଯାଇଛି । ସିଫା ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ମୃତ କିନ୍ନର ଅଞ୍ଜଳିଙ୍କ ଘର ସାଲେପୁରରେ । ସେ ଭୁବନେଶ୍ୱରରେ ଆସି ରହୁଥିଲେ । ସାଥି କିନ୍ନରଙ୍କ କହିବା ଅନୁସାରେ ସେ ନୂଆ ଆସିଥିଲେ । ନୂଆ କରି ସେଠାରେ ଛିଡା ହୋଇଥିଲେ । ସେ ଜଣେ ଯୋଗ ପ୍ରଶିକ୍ଷକ ବୋଲି ଜଣେ କିନ୍ନର କହିଛନ୍ତି । ତେବେ ମୃତ କିନ୍ନର ଜଣକର ଆଜି ଶବ ବ୍ୟବଛେଦ ହେବ । ଅନ୍ୟପଟେ କିନ୍ନରଙ୍କୁ ହତ୍ୟା ପରେ ଭୟର ବାତାବରଣ ଖେଳି ଯାଇଛି । ଏନେଇ କିନ୍ନର ମାନବଧିକାର କର୍ମୀ ମୀରା ପରିଡା କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଥିଲେ । ଜଣେ କିନ୍ନରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ଘଟଣାକୁ ସେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏବଂ ହତ୍ୟାକାରୀଙ୍କୁ ଶୀଘ୍ର ଧରିବାକୁ ପୋଲିସକୁ ଦାବି ମଧ୍ୟ କରିଛନ୍ତି ।












Leave a Reply