ପାଇଖାନା ଟାଙ୍କିରେ ପଶିବା ହେଲା କାଳ; ଶ୍ୱାସରୁଦ୍ଧ ହୋଇ ୨ ମୃତ ଓ ୨ ଗୁରୁତର ।

ଅକ୍ଷର ବ୍ୟୁରୋ: ନୂଆ ପାଇଖାନା ସେପ୍ଟିକ୍ ଟାଙ୍କିରେ ପଶିବା ହେଲା କାଳ । ଶ୍ୱାସରୁଦ୍ଧ ହୋଇ ୨ ମୃତ ଓ ୨ ଗୁରୁତର ଅସୁସ୍ଥ l ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ କେସେଇବାହାଲ ଗାଁରେ l ଆଜି ଦିନ ପ୍ରାୟ ୧୦ଟା ସମୟରେ କେସେଇବାହାଲ ଗାଁର ଲୋକନାଥ ବେହେରାଙ୍କ ଘରର ନୂଆ ପାଇଖାନା ସେଫଟି ଟାଙ୍କିରେ ଏହି ଅଘଟଣ ଘଟିଛି l ଏହି ଘଟଣାରେ ସୁଶୀଲ ନାଏକ (୩୦) ନାମକ ଜଣେ ଶ୍ରମିକ ଓ ଭିକାରୀ ଚରଣ ବେହେରା (୫୫) ଘର ମାଲିକଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି l

ମହୁଲପାଲି ଥାନା ଅଧିକାରୀ ଇନ୍ଦ୍ରଦେବ ଓରାମଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଲୋକନାଥ ବେହେରା ନିଜ ଘର ପାଖରେ ୧୮ଦିନ ପୂର୍ବରୁ ଏହି ପାଇଖାନାର ସେଫଟି ଟାଙ୍କି ତିଆରି କରିଥିଲେ l ଆଜି ଏହି ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବାକୁ ମିସ୍ତ୍ରୀ ଓ କେତେକ ଶ୍ରମିକ ଆସିଥିଲେ l ପ୍ରଥମେ ଜଣେ ମିସ୍ତ୍ରୀ ସେପ୍ଟିକ ଟାଙ୍କି ଭିତରକୁ ପଶିବା ପରେ ନିଜେ ଅଣ ନିଶ୍ୱାସୀ ହୋଇ ବାହାରକୁ ବାହାରି ଆସିଥିଲେ l ପରେ ନିଜେ ଘର ମାଲିକ ଲୋକନାଥ ବେହେରା ମଧ୍ୟ ଭିତରକୁ ପଶି ସ୍ଥିତି ପରଖିବାକୁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ ଅଣ ନିଶ୍ୱାସୀ ହେବାରୁ ତୁରନ୍ତ ବାହାରକୁ ଆସିଗଲେ l

ତେବେ ପରେ ଜଣେ ଶ୍ରମିକ ଭିତରକୁ ପଶି ଯାଇଥିଲେ ଓ ଟାଙ୍କି ଭିତରେ ବେହୋସ ହୋଇ ପଡିଗଲେ, ତାଙ୍କୁ ଉଦ୍ଧାର କରିବାକୁ ଯାଇ ଲୋକନାଥ ବେହେରାଙ୍କ ୨ଜଣ ସମ୍ପର୍କୀୟ ଆଉ ଜଣେ ଶ୍ରମିକ ଟାଙ୍କି ଭିତରକୁ ପଶି ସେମାନେ ମଧ୍ୟ ଟାଙ୍କି ଭିତରେ ଅଚେତ ହୋଇ ପଡିଗଲେ l ଏହାକୁ ଦେଖି ସ୍ଥାନୀୟ ଲୋକେ ଏକ ଜେସିବି ଆଣି ଟାଙ୍କିର ଉପର ଛାତକୁ ଭାଙ୍ଗି ୪ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ବାହାର କରି କୁଚିଣ୍ଡା ଉପଖଣ୍ଡ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ l ହସ୍ପିଟାଲରେ ୨ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି, ବୋଲି ମହୁଲପାଲି ଥାନା ଅଧିକାରୀ ଇନ୍ଦ୍ରଦେବ ଓରାମ ସୂଚନା ଦେଇଛନ୍ତି l ତେବେ ଏହି ଘଟଣା ନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ପଚରା ଉଚରା ଜାରି ରଖିଛି l ଏନେଇ ମହୁଲପାଲି ଥାନା ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)