ଅକ୍ଷର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୨ତମ ସଂସ୍କରଣରେ ଦୁଇ ଜଣ ଓଡ଼ିଆଙ୍କ ନାମ । ମନ୍ କି ବାତ୍ରେ ପିଏମ୍ ମୋଦି ଦୁଇ ଜଣ ଓଡ଼ିଆଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି । ସେମାନେ ହେଲେ ସମ୍ବଲପୁରର ସୁଜାତା ଭୂୟା ଏବଂ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥ । ସୁଜାତା ଭୂୟାଙ୍କ ନାମ ନେଇ ମହିଳା ସଶକ୍ତୀକରଣର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଜାତା ଜଣେ ଗୃହିଣୀ କିନ୍ତୁ ସେ କିଛି ଭିନ୍ନ କାମ କରିବା ସହିତ ପରିବାରର ଉନ୍ନତିରେ ଭାଗିଦାରୀ ହେବାକୁ ଚିନ୍ତା କରିଥିଲେ । ଏଥିପାଇଁ ସେ କିଛି ବର୍ଷ ପୂର୍ବରୁ ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟଚାଷ ଆରମ୍ଭ କରିଥିଲେ ।
ମାତ୍ର ସୁଜତାଙ୍କର ଏହି କାର୍ଯ୍ୟ ସହଜ ନଥିଲା । କାରଣ ପାରିପାର୍ଶ୍ବିକ ଅବସ୍ଥା ଯୋଗୁଁ ସେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ । ଏକା ସାଙ୍ଗରେ ମତ୍ସ୍ୟଚାଷ କରିବା ଏବଂ ପରିବାରର ଦାୟିତ୍ୱ ତୁଲାଇବା ମଧ୍ୟ କଠିନ କାମ ଥିଲା । ଏଥିପାଇଁ ବିଭିନ୍ନ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତଥାପି ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଆଗକୁ ବଢ଼ିଛନ୍ତି । କଠିନ ପରିଶ୍ରମ କରି ନିଜେ ସ୍ବାବଲମ୍ବି ହେବା ସହ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିଛନ୍ତି । ଫଳରେଦୁଇରୁ ତିନ ବର୍ଷ ମଧ୍ୟରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତିି । ତାଙ୍କର ସଫଳତା ଆଜିର ଦିନରେ ସମାଜର ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ଦାୟକ ବୋଲି ପିଏମ୍ ମୋଦି ମନ୍ କି ବାତ୍ରେ କହିଛନ୍ତି ।
ସେହିପରି କେନ୍ଦ୍ରାପଡ଼ାର ପ୍ରତିଭାବାନ ଯୁବକ ଓମ୍ ପ୍ରକାଶ ରଥଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସଫଳତାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ବଖାଣିଛନ୍ତି । କେନ୍ଦ୍ର ସରକାରଙ୍କ ‘ମାଇଁ ଭାରତ ବଜେଟ୍ କ୍ୱେଷ୍ଟ୍’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରାୟ ୧୨ ଲକ୍ଷ ଯୁବପିଢ଼ିଙ୍କ ମଧ୍ୟରୁ ‘ଓମେନ୍ ଲେଡ୍ ଡେଭଲପମେଣ୍ଟ୍’ (Women-led Development) ବା ମହିଳାଙ୍କ ନେତୃତ୍ୱରେ ବିକାଶ ସମ୍ପର୍କିତ ପ୍ରବନ୍ଧରେ ଓମ୍ ପ୍ରକାଶ ରଥଙ୍କର ଚିନ୍ତାଧାରା ଓ ବିଶ୍ଳେଷଣ ପ୍ରଧାନମନ୍ତ୍ରୀଙ୍କୁ ଅଭିଭୂତ କରିଛି । ଯାହାକୁ ନେଇ ପିଏମ୍ ମୋଦି ପ୍ରଶଂସା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓମ୍ଙ୍କ ଉଲ୍ଲେଖେନୀୟ ସଫଳତାକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।












Leave a Reply