ଅକ୍ଷର ବ୍ୟୁରୋ: ଚିଫ୍ ସେକ୍ରେଟାରୀ ମନୋଜ ଆହୁଜାଙ୍କୁ ମିଳିବ କି ଏକ୍ସଟେନସନ ? ନା ବଦଳିବେ ଓଡିଶା ପ୍ରଶାସନିକ କଳର ମୁଖିଆ ? ଅନୁ ଗର୍ଗ ହେବେ କି ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ? ଏସବୁକୁ ନେଇ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା। କାହିଁକି ନା ଏଇ ଡିସେମ୍ବର ୩୧ରେ ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ବିଜେପି କ୍ଷମତାକୁ ଆସିବା ପରେ ମନୋଜ ଆହୁଜାଙ୍କୁ ଡେପୁଟେସନରୁ ଫେରାଇ ମୁଖ୍ୟ ଶାସନ ସଚିବ ଭାବେ ବସାଇଥିଲା। ୟା ଭିତରେ ଏକ ବର୍ଷ ପାଇଁ ମନୋଜଙ୍କ କାର୍ଯ୍ୟକାଳ ବି ବଢାଇଥିଲେ ସରକାର। ଚର୍ଚ୍ଚା ହେଉଛି, ଆଉ ୬ ମାସ ମନୋଜଙ୍କୁ ଏକ୍ସଟନସନ ମିଳିପାରେ।
ତେବେ ମନୋଜଙ୍କ ପରେ ସିନିୟର ତାଲିକାରେ ଅଛନ୍ତି ୧୯୯୦ ବ୍ୟାଚର ଆଇଏଏସ ସଞ୍ଜୀବ ଚୋପ୍ରା ଏବଂ ଜି. ଶ୍ରୀନିବାସ। ଉଭୟେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ସେମାନଙ୍କ ନିଯୁକ୍ତି ସମ୍ଭାବନା କମ। ତା ପଛକୁ ଅସିବେ ୯୧ ବ୍ୟାଚ୍ ଆଇଏଏସ ଉନ୍ନୟନ କମିଶନର ଅନୁ ଗର୍ଗ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ। ଚର୍ଚ୍ଚା ହେଉଛି ଅନୁ ଗର୍ଗ ରେସରେ ଆଗରେ ଅଛନ୍ତି। ଅନୁଙ୍କ କାର୍ଯ୍ୟକାଳ ବି ମାର୍ଚ୍ଚ ୨୦୨୯ ଯାଏଁ ରହିଛି। ନୂଆ ମୁଖ୍ୟ ଶାସନ ସଚିବ ଯିଏ ବି ହୁଅନ୍ତୁ। ତାଙ୍କ ଆଗରେ କିନ୍ତୁ ରହିଛି ଅନେକ ଚାଲେଞ୍ଜ। ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ତାସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହ ପ୍ରଶାସନିକ କ୍ରିୟାଶୀଳତାକୁ ଗତି ଦେବା। ଦୁର୍ନୀତିକୁ ନେଇ ସରକାରଙ୍କ ଜିରୋ ଟଲରାନସ କଥା ବାରମ୍ବାର ମୁଖ୍ୟମନ୍ତ୍ରୀ କହୁଥିବାବେଳେ ପ୍ରଶାସନିକ କ୍ଷେତ୍ରରେ ଏଯାଏଁ ତାହା ପ୍ରତିଫଳିତ ହୋଇ ପାରିନି। ଯେଉଁଥି ପାଇଁ ଦୁଇ ଦୁଇ ଥର ଜିଲ୍ଲାପାଳ ଏବଂ ଏସପି ସମ୍ମିଳନୀରେ ବି ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।
ତାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ୟୁଓଆଇ ନୋଟ ବି କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଛନ୍ତି ଅଧିକାରୀ। ଯେଉଁଥି ପାଇଁ ବାରମ୍ବାର ବିଭାଗ ଗୁଡିକୁ ଚିଠି କରିବାକୁ ପଡୁଛି। ତେଣୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସମୟସୀମା ଭିତରେ କାର୍ଯ୍ୟକାରୀ କରିବାକୁ ହେବ। ଅନ୍ୟପଟେ ବିକଶିତ ଓଡ଼ିଶା ପାଇଁ ସରକାରଙ୍କ ଭିଜନ ୨୦୩୬କୁ କାର୍ଯ୍ୟକାରୀ କରିବା ବି ହେବ ଅନ୍ୟତମ ଚାଲେଞ୍ଜ। ଯଦି ଅନୁ ଗର୍ଗଙ୍କ ନାଁରେ ମୋହର ବାଜେ ତାହେଲେ ଓଡ଼ିଶା ଇତିହାସରେ ସେ ହେବେ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ତା ସହ ଚର୍ଚ୍ଚା ହେଉଛି ଏହା କେବଳ ଏକ ପ୍ରଶାସନିକ ନିଯୁକ୍ତି ହେବନି ବରଂ ଏକ ରାଜନୈତିକ ରଣନୀତି ସାବ୍ୟସ୍ତ ହୋଇପାରେ। କାରଣ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଓଡିଶାର ପ୍ରଶାସନିକ ଭାର ଜଣେ ମହିଳାଙ୍କ ହାତରେ ଦେଇ ମହିଳା ସଶକ୍ତିକରଣ ବାର୍ତ୍ତା ଦେଇପାରନ୍ତି ସରକାର।












Leave a Reply