ନିଜ ଅର୍ଥରେ ପୋଲ ଓ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଗଦିଙ୍ଗିଆ ଗ୍ରାମ ସ୍ୱାଧିନତା ହେବାର ୭୮ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଗ୍ରାମରେ ବିକାଶ ପହଞ୍ଚି ପାରିନାହିଁ । କଳିଙ୍ଗା ଗ୍ରାମପଞ୍ଚାୟତର ଗଦିଙ୍ଗିଆ ହେଉଛି ଏକ ରାଜସ୍ବ ଗ୍ରାମ । ବଣ ପାହାଡ଼ ଘେରା ପରିବେଶ ମଧ୍ୟରେ ଏହି ଗ୍ରାମ ଅବସ୍ଥିତ ହୋଇଥିବା ବେଳେ କଳିଙ୍ଗା ଗ୍ରାମପଞ୍ଚାୟତ ଠାରୁ ଗଦିଙ୍ଗିଆ ଗ୍ରାମର ଦୂରତା ୨.୫ କିଲୋମିଟର । ଏହି ଗ୍ରାମରେ ୬୫ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରୁଛନ୍ତି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସ୍ୱାଧିନତାର ୭୮ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଗ୍ରାମର ଜନସାଧାରଣ ମାନେ ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଇଣ୍ଟରନେଟ ସେବା ଏବଂ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି ।
ରାସ୍ତା ନିର୍ମାଣ ପ୍ରସ୍ତାବ ସରକାରୀ କାଗଜ କଲମ ମଧ୍ୟରେ ସୀମିତ ହୋଇ ରହିଯାଇଛି। ଉକ୍ତ ଗ୍ରାମର ବିକାଶ ପାଇଁ ଗଟାମାହା ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ଏବଂ କଳିଙ୍ଗା ର ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠିପତ୍ର ଲେଖି ସରକାରଙ୍କୁ ଅବଗତ କରାଇବା ପରେ ରାଜ୍ୟ ସରକାରଙ୍କ ତରଫରୁ ଉକ୍ତ ଗ୍ରାମର ବିକାଶ ପାଇଁ ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା।କିନ୍ତୁ ଗ୍ରାମର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାରଙ୍କୁ ଉଭୟ ପଞ୍ଚାୟତ ଏବଂ ବ୍ଲକ୍ ପ୍ରଶାସନ ତରଫରୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରାଯାଉଛି, ବିଧିବଦ୍ଧ ଭାବେ ଉଭୟ ବ୍ଲକ୍ ପ୍ରଶାସନ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସହଯୋଗ ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଗଦିଙ୍ଗିଆ ଗ୍ରାମର ବିକାଶ ହୋଇପାରିଲା ନାହିଁ । ନିର୍ବାଚନ ସମୟ ଆସିଲେ ନେତାମାନେ ଉକ୍ତ ଗ୍ରାମର ବିକାଶ ପାଇଁ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ସରିବା ପରେ ଆଉ ସେହି ପ୍ରତିଶ୍ରୁତି କାର୍ଯ୍ୟ କରନ୍ତି ନାହିଁ ଏବଂ ପରବର୍ତ୍ତୀ ସମୟରେ ଗ୍ରାମକୁ ମଧ୍ୟ ଯାଆନ୍ତି ନାହିଁ । ଯାହାଫଳରେ ନିଜ ଅର୍ଥରେ ପୋଲ ଓ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)