ଅକ୍ଷର ବ୍ୟୁରୋ: ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି । ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ପରୀକ୍ଷାଗାର ଟେକ୍ନିସିଆନ୍ ସେମା ନିୟମ-୨୦୨୫କୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି । କ୍ଷୁଦ୍ର ବ୍ୟବସାୟ ଉପରେ ଅନୁପାଳନ ବୋଝ ହ୍ରାସ କରିବା ପାଇଁ ରାଜ୍ୟରେ ଅଧିକ ଆର୍ଥିକ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେଣୁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ସହ ମହିଳାମାନଙ୍କ ପାଇଁ ଅଧିକ କାର୍ଯ୍ୟ ଅଂଶଗ୍ରହଣ ସୁଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି ।
ଚଳିତ ଖରିଫ ବିପଣନ ବର୍ଷ ପାଇଁ ଧାନ ସଂଗ୍ରହ ଚଳିତ ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୨୬ ସେପ୍ଟେମ୍ବର ୩୦ରେ ଶେଷ ହେବ । ଏହି ବର୍ଷବ୍ୟାପୀ ଅବଧୀ ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ । ନଭେମ୍ବର ମାସରୁ ଖରିଫ ଋତୁରେ ଉତ୍ପାଦିତ ଧାନ କିଣାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ କିଣାଯିବ । କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ରାଜ୍ୟ କ୍ୟାବିନେଟ୍ର ଗୃହୀତ ନିଷ୍ପତ୍ତି କ୍ରମେ ‘ସ୍ୱଚ୍ଛ ଓଡ଼ିଶା’ ନାମିତ ରାଜ୍ୟ ଯୋଜନାରେ ପାଞ୍ଚ ବର୍ଷର ଅବଧି ପାଇଁ ୧୬୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି ।












Leave a Reply