ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଦେଇଛି । କଂଗ୍ରେସର ୧୪ ବିଧାୟକ ଓ ସିପିଆଇଏମ୍ର ଜଣେ ବିଧାୟକ ଏଥିରେ ଦସ୍ତଖତ କରିଛନ୍ତି । ସଂଖ୍ୟାର ହିସାବ ଦେଖିଲେ ପ୍ରସ୍ତାବ କାଟ୍ ଖାଇବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଅନାସ୍ଥା ନୋଟିସ୍ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି ।
ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଏହା ଅଡ଼ୁଆରେ ପକାଇଛି । କାରଣ ବିଜେଡି ଅନାସ୍ଥାକୁ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରିନାହିଁ । ସାର ପ୍ରସଙ୍ଗକୁ ନେଇ ବିଧାନସଭାରେରେ ସରକାରଙ୍କୁ ଘେରିବ ବିଜେଡି । ନାରୀ ନିର୍ଯ୍ୟାତନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ମଧ୍ୟ ଉଠାଇବ ବିରୋଧୀ ଦଳ । ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, ରାଜ୍ୟରେ ସାର ବଣ୍ଟନରେ ବିଫଳ ହୋଇଛି ସରକାର। ସମବାୟ ସୂତ୍ରରେ ସାର ମିଳୁନାହିଁ ।
ଲମ୍ବା ଧାଡ଼ିରେ ରାତିରୁ ଆସି ଠିଆ ହେଉଛନ୍ତି ଚାଷୀ । ଓଡ଼ିଶାର ଜନସାଧାରଣ ଯନ୍ତ୍ରଣାରେ ପେଷି ହେଉଛନ୍ତି । କଳାବଜାରୀରେ ତିନି ଗୁଣ ଚାରି ଗୁଣ ଚଢ଼ା ଦରରେ ସାର ମିଳୁଛି। ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଠିକ ଭାବେ ହେଉନାହିଁ । ସରକାର କେବଳ ଘୋଷଣା କରିଛନ୍ତି କିଛି କରିନାହାନ୍ତି । ତେଣୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ମହିଳା ହିଂସା ବଢ଼ିବାରେ ଲାଗିଛି । ନାରୀମାନେ ରାସ୍ତାରେ ସୁରକ୍ଷିତ ନାହାନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ସରକାର ଆକ୍ରମଣ କରିବା ସହ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଙ୍କୁଚିତ କରିବାରେ ଲାଗିଛନ୍ତି ।
କ୍ଷମତା ବିକେନ୍ଦ୍ରୀକରଣ ନୀତି ବିରୁଦ୍ଧରେ ସରକାର ଯାହା କରୁଛନ୍ତି ସେହି ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ । ସେପଟେ ବିଧାନସଭା ଅଧିବେଶନ ନେଇ ବିଜେପି ବିଧାୟକ ଦଳର ବୈଠକ ବସିଛି । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଯାହା ବିରୋଧୀ ଦଳ ଆଣିବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ବୈଠକ ପରେ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ମହାଲିଙ୍ଗ କହିଛନ୍ତି, ସରକାର ମ୍ୟାଜିକ ନମ୍ୱରରେ ଚାଲେ, ଆଉଟ ଅଫ ୧୪୭ ଲୋକ ବିଜେପିକୁ ସମର୍ଥନ କରିଛନ୍ତି, ବିଜେପି ସରକାରରେ ଲୋକ ପ୍ରଗତିପଥରେ ଯାଉଛନ୍ତି ତାହା ଓଡିଶାବାସୀ ଜାଣିଛନ୍ତି । ଅନାସ୍ତା ପ୍ରସଙ୍ଗ ଯେବେ ବିଧାନସଭାରେ ଆସିବ ତାର ଉତ୍ତର ଦିଆଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।












Leave a Reply