ଅକ୍ଷର ବ୍ୟୁରୋ: ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଅଭିଯାନ । ଅଭିଯାନର ପ୍ରଥମ ଦିନରେ କଡ଼ାକଡ଼ି ଚେକିଂ । ଗୋଟିଏ ଦିନରେ କଟିଲା ୧୭ ହଜାର ୮୩୧ ଚାଲାଣ । ମୋଟ୍ ୯ କୋଟି ୫୭ ଲକ୍ଷ ୫୯ ହଜାର ୫୦୪ଟଙ୍କାର ଜରିମାନା ଲାଗୁ ହୋଇଛି । ଏଥିସହ ୬୪ଟି ଗାଡ଼ି ଅଟକ ରଖିଛି ପରିବହନ ବିଭାଗ ।ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଟକରୁ କୋରାପୁଟ, ବାଲେଶ୍ୱରରୁ ବରଗଡ଼ ଯାଏଁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି । ମାର୍ଚ୍ଚ ୩୧ ଯାଏଁ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିବ । କେବଳ ଏନଫୋର୍ସମେଣ୍ଟ ନୁହେଁ ଏହି ସମୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ପ୍ରତିଦିନ ଉଭୟ ସକାଳେ ଓ ସନ୍ଧ୍ୟାରେ ଏଭଳି ଏନଫୋର୍ସମେଣ୍ଟ ଜାରି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଅଭିଯାନ ସମୟରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ଗୁଡ଼ିକ ରୋକିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଯେପରିକି ଦ୍ରୁତଗତି, ମଦ୍ୟପାନ କରି ଡ୍ରାଇଭିଂ କରିବା, ବିନା ହେଲମେଟରେ ବାଇକ୍ ଚଳାଇବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା, ଅବୈଧ ପାର୍କିଂ, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ଏବଂ ଓଭରଲୋଡିଂ ଭଳି ନିୟମ ଉଲ୍ଲଙ୍ଘନ ପରି ମୋଟର ଯାନ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପ୍ରଥମ ଦିନରେ ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କ ସହ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯାଇଛି । ଏହି ଅଭିଯାନରେ ଦୁର୍ଘଟଣା ପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ ବଜାର ଓ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଏନଫୋର୍ସମେଣ୍ଟ ଅଧିକ କରାଯାଉଛି ।











Leave a Reply